Sunstar TV :
ଗାଁ ଠୁ ନେଇ ସହର ସବୁଠି ଜମୁଛି ରଜ ମଉଜ । ଘରେ ଘରେ ଖୁସିର ମାହୋଲ ସହ ମହକୁଛି ପୋଡ ପିଠାର ମହମହ ବାସ୍ନା । ଆଜି ହେଉଛି ରଜ ସଂକ୍ରାନ୍ତି । ଏହି ପର୍ବ କେବଳ ଉପକୂଳବର୍ତ୍ତୀ ଓଡ଼ିଶାରେ ସୀମିତ ହୋଇ ରହି ନାହିଁ। ସବୁ ଯାଗାରେ ପାଳନ ହେଉଛି ରଜ । ଘର ଘର ମହକୁଛି ପୋଡ ପିଠା ସହ ନାନା ପ୍ରକାରର ସୁଆଦିଆ ପିଠାର ବାସ୍ନା । ଏହି ଦିନ ପୋଡ ପିଠା, ଏଣ୍ଡୁରି ପିଠା, ସୁଜି କାକରା ପିଠା, ଆରିଷା ପିଠା ଭଳି ଭେଳିକିଭଳି ପିଠା କରାଯାଇଛି । ଆଉ ଏସବୁ ପିଠା ଖାଇ ରଜ ପାଳନ କରୁଛନ୍ତି କୁଆଁରୀ ଝିଅମାନେ । ତେବେ ରଜରେ ପୋଡ ପିଠା ବେଶ ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିଆସିଛି । କେବଳ ରଜରେ ପୋଡ ପିଠା ହୁଏନି, ବାହୁଡା ଯାତ୍ରାରେ ମଧ୍ୟ ତିଆରି ହୁଏ ପୋଡ ପିଠା । ମାଉସୀ ମା’ଙ୍କ ହାତ ତିଆରି ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ହେଲେ ରଜରେ ପୋଡ ପିଠାର ରହିଛି ବେଶ ମହତ୍ତ୍ୱ । ରଜରେ ପୋଡ ପିଠା ନହେଲେ ରଜ ପର୍ବ ଅଧୁରା ଲାଗେ । ଏଇ ପୋଡ ପିଠା କରିବା ପାଇଁ ଘରର ମା’ ଓ ବୋହୂମାନେ ରଜ ଆଗ ଦିନରୁ ବିରି ଚାଉଳ ବତୁରାଇ ତାକୁ ଧୋଇ ବାଟିଥାନ୍ତି । ପରଦିନ ସକାଳୁ ସକାଳୁ ପୋଡ ପିଠା ସହ ଅନ୍ୟାନ୍ୟ ପିଠାର ଆରମ୍ଭ କରିଥାନ୍ତି ପ୍ରସ୍ତୁତି । ସକାଳ ୮ଟାରୁ ଘରେ ଘରେ ବଢାଯାଇଥାଏ ନାନା ସୁଆଦିଆ ପିଠା ସହ ସ୍ୱାଦିଷ୍ଟ ତରକାରୀ । କେହି କେହି ଏହି ଦିନ ଶାଳ ପତ୍ରରେ ପିଠା ଖାଇଥାନ୍ତି । ଏପରିକି କୁହାଯାଏ ରଜ ୩ଦିନ ଯାଏଁ କୁଆଡେ ଘରେ କେବଳ ପିଠା ହିଁ ରୋଷେଇ ହୁଏ । ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନରେ ସୂର୍ଯ୍ୟାସ୍ତ ପରେ କୌଣସି କୁଆଁରୀ ଝିଅମାନେ ଅନ୍ନ ଛୁଇଁବା କଥା ନୁହେଁ । ତେଣୁ ଆଜିର ଦିନରେ ମଧ୍ୟ ଏହି ପରମ୍ପରା ଚାଲି ଆସିଛି । ଝିଅମାନେ ରଜ ଆରମ୍ଭରୁ ନେଇ ଶେଷ ରଜ ଯାଏଁ ପ୍ରଥମେ ପିଠା ଖାଇ ଦିନ ଆରମ୍ଭ କରିଥାନ୍ତି । ଏହା ଏକ ଗଣପର୍ବ ହୋଇଥିବାରୁ ଏହି ଦିନରେ ନିଜେ ପୋଡ ପିଠା ଖାଇବାସହ ପୋଡଶୀ ଘର ସହ ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇଥାନ୍ତି ପିଠା ।