SunstarTV
ମୌସୁମୀ ପ୍ରବେଶ ହେଇଛି ହେଲେ ଆଗକୁ ବଢ଼ୁନି । ଏବେବି ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଥିବା ବେଳେ ବର୍ଷାର ଦର୍ଶନ ନାହିଁ। ଅସହ୍ୟ ତାତି ସହ ଗୁଳୁଗୁଳିରେ ଲୋକ ଜଳୁଛନ୍ତି। ସେପଟେ ରଜକୁ ଆଉ କେଇଟା ଦିନ ବାକି ଥିବା ବେଳେ ରାଗ୍ୟରେ ରଜ ପାଗର କୌଣସି ଦୃଶ୍ୟ ଦେଖିବାକୁ ମିଳୁନି । ଖରାକୁ ଦେଖି ଲାଗୁଛି ତାତିରେ ଏଥର ରଜ କଟିବ ।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ସୋମବାର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିବାବେଳେ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେବା ପାଇଁ ଅନୁକୂଳ ସ୍ଥିତି ନାହିଁ। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ବି ମୌସୁମୀ ଆଗକୁ ବଢ଼ି ନ ପାରେ ବୋଲି ସୂଚନା ମିଳିଛି।
ଆଉ ୫ଦିନ ଯାଏ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ। ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୂତ ହେବ ଓ ବାଲେଶ୍ୱର, ନୟାଗଡ଼, ଜଗତ୍ସିଂହପୁର, ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଜିଲାରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।
ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ଗତ ୮ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଣିପାଗରେ କୌଣସି ପରିବର୍ତ୍ତନ ଦେଖାଦେଇ ନାହିଁ ।ତାତି ବଢ଼ିବା ସହ ଦିନ ୮ଟା ପରେ ବାହାରକୁ ଯିବାକୁ ଭାରି କଷ୍ଟ ହେଉଛି । କେବଳ ଦେଖିବା ବାକି ରହିଲା ଏ ପାଗ କେବେ ବଦଳୁଛି ଆଉ କେବେ ମିଳିବ ତାତିରୁ ଶାନ୍ତି ।