SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତକାଲି ଭାରତର ପ୍ରଧନମନ୍ତ୍ରୀ ଭାବରେ ତୃତୀୟ ଥର ପାଇଁ ଶପଥ ପାଠ କିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କାଲି ସନ୍ଧ୍ୟା ୭.୧୫ରେ ଏହି ଶପଥ ପାଠ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଆସିଥିବା ବେଳେ ପଡୋଶୀ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ଏହି ସମାରୋହରେ ସାମିଲ ଥିଲେ । ଏହିସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀର ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା । କିନ୍ତୁ ଠିକ୍ ଏହି ସମୟରେ ହିଁ ଜମ୍ମୁ କାଶ୍ମୀରରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଫଳରେ ୧୦ ଜମଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ , ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟାରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଭିଆଇଛନ୍ତି ନାରକୀୟ କାଣ୍ଡ । ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଅନ୍ଧାଧୂନ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଘାଇରେ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଆତଙ୍କୀ ହାମଲାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ସମସ୍ତେ ତୀର୍ଥ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଧିରେ ଧିରେ ସେମାନଙ୍କ ପରିଚୟ ମିଳୁଥିବା ସୂଚନା ରହିଛି । ତେବେ ଏହ ଘଟଣା ପରେ ତତ୍ପର ହୋଇଛି ସେନା । ରିଆସୀ ଜିଲ୍ଲାର ତେରଥାୟ ଗାଁରେ ପହଞ୍ଚି ପୋଲିସ ସେନା ମିଳିତ କମ୍ବିଂଅପରେସନ ଚଳାଇଛନ୍ତି।
ସ୍ଥାନୀୟ ଏସଏସପି ମୋହିତା ଶର୍ମାଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ୫୩ ସିଟ ବିଶିଷ୍ଟ ବସଟି ତୀର୍ଥଯାତ୍ରୀଙ୍କୁ ନେଇ ଶିବ ଖୋରୀ ମନ୍ଦିରରୁ କାତ୍ରା ଅଭିମୁଖେ ବାହାରିଥିଲା । କିନ୍ତୁ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ ।ଫଳରେ ବସଟି ଦୁର୍ଘଟଣାର ଶିକାର ହୋଇ ତଳକୁ ଖସି ପଡିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଓ ପାରାମିଲିଟାରୀ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ୩୩ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ରିଆସି ହସ୍ପିଟାଲ, ୫ଜଣ ତ୍ରେୟାଥ ଓ ୧୫ଜଣଙ୍କୁ ଜମ୍ମୁ ସ୍ଥିତ GMCରେ ଭର୍ତ୍ତି କରାଯାଇଛି ।
ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ତୀର୍ଥଯାତ୍ରୀଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିବା ସହ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ପ୍ରଧନ ମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ରାଜନେତା ମାନେ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ପରିବାରକୁ ସହାୟତା ଯୋଗାଇ ଦେବା ପଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ।