Sunstar TV :
ଆପଣ ମାନେ ତ ଜାଣି ସାରିବେଣି , ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଏୟାର ପୋର୍ଟରେ ଜଣେ ମହିଳା ଯବାନଙ୍କ ଠାରୁ ଚାପୁଡା ଖାଇଛନ୍ତି । ହେଲେ କାହିଁକି ? କ’ଣ କଲେ କି କଙ୍ଗନା ଯେଉଁଥି ପାଇଁ ଶେଷରେ ଚାପୁଡା ଖାଇଲେ ? କାହିଁଙ୍କି ମାରିଲେ ମହିଳା ଯବାନ ? ନଜର ପକାନ୍ତୁ ଏହି ରିପୋର୍ଟ ଉପରେ …
ମଣ୍ଡି ଲୋକସଭା ଆସନରୁ ସାଂସଦ ଭାବେ ଲୋକଙ୍କ ଭୋଟ୍ ପାଇବାରେ କଙ୍ଗନା ରାଣାୱତ ସଫଳ ହୋଇଛନ୍ତି । କିନ୍ତୁ ହିମାଚଳପ୍ରଦେଶରୁ ବାହାରିବା ମାତ୍ରେ ତାଙ୍କୁ ବିରୋଧୀଙ୍କ ଘୃଣାର ସମ୍ମୁଖୀନ ହେବାକୁ ପଡିଛି । ଚଣ୍ଡିଗଡ଼ ବିମାନ ବନ୍ଦରରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ର ଜଣେ ମହିଳା ଯବାନ ତାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାକୁ ଚାପୁଡ଼ା ମାରିଥିବା ମହିଳା ଯବାନଙ୍କ ନାଁ ହେଉଛି କୁଲବିନ୍ଦର କୌର । ଏହି ଘଟଣାକୁ ନେଇ କୁଲବିନ୍ଦର ବର୍ତ୍ତମାନ ଖବରରେ ଅଛନ୍ତି ।ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କୁଲବିନ୍ଦର କୌର କିଏ ଆଉ ସେ କାହିଁକି କଙ୍ଗନାଙ୍କୁ ଚାପୁଡା ମାରିଲେ ?
କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫର ଏହି ମହିଳା ଯବାନ ଜଣେ କୃଷକ ନେତାଙ୍କ ଭଉଣୀ ବୋଲି ଜଣାପଡିଛି । ତାଙ୍କ ଭାଇ ଶେର ସିଂହ ମହିୱାଲ କିସାନ । ମଜଦୁର ସଂଘର୍ଷ ସମିତିର ସାଂଗଠନିକ ସଚିବ । ଯିଏ ବର୍ତ୍ତମାନ ରଦ୍ଦ ହୋଇଥିବା ଚାଷୀ ଆଇନକୁ ବିରୋଧ କରିବାର ଏକ ଅଂଶ ହୋଇଥିଲେ । କୁଲବିନ୍ଦର କୌର ଅଭିଯୋଗ କରିଛନ୍ତି ଯେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାମାନଙ୍କ ଉପରେ କଙ୍ଗନା ରାଣାୱତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କହିଥିଲେ ଯେ ପଞ୍ଜାବର ମହିଳାମାନେ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ଭିଡିଓରେ ସିଆଇଏସ୍ଏଫ୍ କର୍ମଚାରୀ ରାଗି କହିଛନ୍ତି ଯେ ତାଙ୍କ ମା’ ମଧ୍ୟ କୃଷକ ଆନ୍ଦୋଳନରେ ଭାଗ ନେଇଥିଲେ। ତେବେ ଏହାକୁ ନେଇ ଚଣ୍ଡିଗଡ଼ ବିମାନ ବନ୍ଦରରେ ଯାଞ୍ଚ ବେଳେ ଅଭିନେତ୍ରୀ ତଥା ବିଜେପି ସାଂସଦଙ୍କୁ ଏହି ମହିଳା ଯବାନ ଚାପୁଡ଼ା ମାରିଥିଲେ।
ଜାତୀୟ ମହିଳା ଆୟୋଗ ସିଆଇଏସ୍ଏଫ୍ କର୍ମଚାରୀଙ୍କ ଏହି କାର୍ୟ୍ୟକୁ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଲେଖାଅଛି, “ଚଣ୍ଡିଗଡ଼ ବିମାନବନ୍ଦରରେ ଘଟିଥିବା ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ଦୁଖିଃତ। ଆମେ ଏହି ଘଟଣାକୁ ନିନ୍ଦା କରୁଛୁ ଏବଂ ଚାହୁଁଛୁ ଯେ ମିସ୍ କୌରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଉ । ନିର୍ବାଚନରେ ଜିତିବାର ଗୋଟିଏ ଦିନ ପରେ କଙ୍ଗନା ରାଣାୱତଙ୍କ ସହ ଏହି ଘଟଣା ଘଟିଛି। ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନରେ ବିଜେପି ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କୁ ୭୪ ହଜାର ଭୋଟରେ ପରାସ୍ତ କରିଛନ୍ତି ।