SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେପି ଜିତିବା ପରେ ବିଜେପି ମହଲରେ ଖେଳିଯାଇଛି ଖୁସିର ଲହରୀ । ଓଡିଶାରେ ଗଠନ ହେବାକୁ ଯାଉଛି ବିଜେପି ସରକାର । ଏହାରି ଭିତରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାଫଳରେ ରାଜନୀତି ମହଲରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ୍ ମିଳିଛି । ୯ ତାରିଖରୁ ୧୨ ତାରିଖ ଯାଏଁ ୩ ଦିନ ପାଇଁ ଏହି ଜାମିନ୍ ମିଳିଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଥମ ଅତିରିକ୍ତ ଦୌରାଜଜଙ୍କ ପାଖରେ ଶୁଣାଣି ପରେ ମିଳିଛି ଅନ୍ତରୀଣ ଜାମିନ । ଚଳିତ ନିର୍ବାଚନରେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ବୋଲଗୋଡ କାଉଁରିପାଟଣା ବୁଥରେ ଇଭିଏମ୍ ଭଙ୍ଗିବା ନେଇ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଥିଲା । ଫଳରେ ବର୍ତ୍ତମାନ ସେ ଜେଲରେ ଅଛନ୍ତି । ଓଡିଶାରେ ବିଜେପି ସରକାର ଗଠନ କରିବାରୁ ଯାଉଥିବା ବେଳେ ଏହା ପୂର୍ବରୁ ହିଁ ପ୍ରଶାନ୍ତଙ୍କୁ ମିଳିଛି ଜାମିନ୍ ।
ସେପଟେ ଜୁନ୍ ୯ କିମ୍ବା ୧୦ ତାରିଖରେ ଓଡିଶାରେ ନୁଆ ମୁଖ୍ୟମନ୍ତ୍ରୀ ଚୟନ ହେବେ ଏବଂ ଜନତା ମୈଦାନରେ ଶପଥ ପାଠ କରିବେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ପ୍ରଶାନ୍ତଙ୍କୁ ମିଳିଛି ଅନ୍ତରୀଣ ଜାମିନ୍ । ତେବେ ୨୦୨୪ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮ ହଜାର ୫୮୯ ଭୋଟରେ ପରାଜିତ କରିଛନ୍ତି ।