Sunstar TV
ଭୁବନେଶ୍ୱର : ସରକାର ବଦଳିବା ପରେ ହଠାତ୍ ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା । ଆଉ ଆଗ ଭଳି ଶ୍ରୀମନ୍ଦିର ଲାଇଟରେ ସୁନ୍ଦର ଦେଖାଯାଉନି କି ଝଲସି ଉଠୁଥିବା ଆଲୋକ ମାଳା ଆଉ ଦେଖିବାକୁ ମିଳୁନି । ଏଭଳି ଆଲୋକୀକରଣ କରାଯାଇଥିଲା ଯେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ୫୦୦ଟି ଫୋକସ ରାତା ରାତି ଗାଏବ୍ । ଏହାକୁ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସଜ୍ଜିତ ହୋଇଥିବା ସେହି ଲାଇଟ ସବୁ ନାହିଁ ଆଜି ସବୁ ଅନ୍ଧାର । ଶ୍ରୀମନ୍ଦିର କୁରୁମ ବେଢ଼ାରେ ବି ଏହି ଲାଇଟ୍ ଲଗାଯାଇଥିଲା । କିନ୍ତୁ ସରକାର ବଦଳିବା ପରେ ପରେ ଏହି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି
ଖାଲି ସେତିକି ନୁହେଁ ବରଂ ଶ୍ରୀମନ୍ଦିରର ଚାରିପଟେ ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଥିବା ଗଛ ଗୁଡିକରେ ଆଉ ପାଣି ଦିଆ ଯାଉ ନଥିବା ଅଭିଯୋଗ ଆସିଛି । ପ୍ରବଳ ଖରାରେ ଗଛ ଶୁଖି ଯାଇଛି । ଲେକେ କହିବା ଆରମ୍ଭ ହେଲାଣି- ଏ କେମିତିକା କଥା ହେଲା, ସରକାର ବଦଳିଲା ବୋଲି ଶ୍ରୀମନ୍ଦିର ଅନ୍ଧାର । ଆଗରୁ ଅର୍ପଣ ରଥ ଚାଉଳରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ବଣ୍ଟନ ବନ୍ଦ କରାଯାଇଛି। ସୁଆର ମହାସୁଆର ନିଯୋଗ ଏହାକୁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବାଣ୍ଟୁଥିଲା। ଚଳିତବର୍ଷ ଫେବ୍ରୁଆରି ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇପାରୁଥିଲେ। ରାଜ୍ୟରେ ସରକାର ବଦଳିବା ପରେ ହଠାତ୍ ଏହାକୁ ବନ୍ଦ କରିଦିଆ ଯାଇଛି।