SunstarTV
ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆଣିବା ଉପରେ ଏହାର ଧ୍ୟାନ ରହିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରମୁଖ ରେପୋ ହାରକୁ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ୨୦୨୪- ୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବା ନେଇ ଆକଳନା କରାଯାଇଛି। ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ।
ଅଷ୍ଟମ ଥର ପାଇଁ ମୁଦ୍ରା ନୀତି କମିଟି (ଏମପିସି) ପ୍ରମୁଖ ନୀତି ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପ୍ରମୁଖ ଋଣ ସୁଧ ହାରକୁ ଅପରିବର୍ତ୍ତିତ ରଖିବା ପାଇଁ ସହମତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଏମପିସିର ୬ ଜଣିଆ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟରେ କୌଣସି ପରିବର୍ତ୍ତନ ପକ୍ଷରେ ମତ ରଖିନଥିଲେ । ଶେଷ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୩ରେ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୬.୫୦ ପ୍ରତିଶତ କରିଥିଲା । ତା’ ପରଠାରୁ ସେଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଫେବ୍ରୁଆରୀ ମାସରୁ ରେପୋ ରେଟ୍ ସ୍ଥିର ରହିଛି । ପ୍ରତି ଦୁଇ ମାସରେ ଆରବିଆଇ ଏମପିସି ମିଟିଂ କରିଥାଏ । ଆଜିର ଏହି ମିଟିଂ ଦ୍ବିତୀୟ ମିଟିଂ ଥିଲା ।