Sunstar TV :
ରାତି ପାହିଲେ ପବିତ୍ର ସାବିତ୍ରୀ ବ୍ରତ । ଏହି ବ୍ରତକୁ ପ୍ରତ୍ୟେକ ସଧବା ମହିଳା ଅପେକ୍ଷା କରିଥାନ୍ତି ଉତ୍କଣ୍ଠା ସହ । କାରଣ ସାବିତ୍ରୀ ବ୍ରତ ଦିନ ସ୍ତ୍ରୀ ଦୀର୍ଘାୟୁ କାମନା କରିଥାଏ ତାହା ସ୍ୱାମୀ ପାଇଁ । ଏନେଇ ଆଜିଠୁ ଚଳଚଞ୍ଚଳ ଗାଁଠୁ ସହର । ହିନ୍ଦୁ ମହିଳାଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥାଏ । ମଥାରେ ସିନ୍ଦୁର ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ ପୂଜା କରିବାକୁ ମନ୍ଦିରରେ ଲାଗିଥାଏ ସାବିତ୍ରୀଙ୍କ ଭିଡ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜ୍ର ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାଏ ପତ୍ନୀ । ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ପ୍ରାଣପ୍ରିୟଙ୍କ ଦୀର୍ଘ ଜୀବନ ମନାସୀ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ପତ୍ନୀ । ସ୍ବାମୀଙ୍କ ମଙ୍ଗଳ ମନାସୀ ନିଶ୍ବାସ ଥିବାଯାଏ ସଧବା ରହିବାକୁ ଏହି ଓଷା ପାଳନ କରିଥାନ୍ତି । ସକାଳୁ ପୂଜା ଥାଳି ଧରି ସଜେଇ ହୋଇ ନିର୍ଜଳା ବ୍ରତ କରି ମନ୍ଦିରରେ ପୂଜା କରିଥାନ୍ତି । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ପ୍ରତ୍ୟେକ ସାବିତ୍ରୀ ଉପବାସ ରହି କେବଳ ଫଳଆହାର କରିଥାନ୍ତି । ତେବେ ମଡନ ଯୁଗରେ ସାବିତ୍ରୀ ପୂଜା ଟିକେ ଅଲଗା ହୋଇଛି । ଏହି ଦିନରେ ପତ୍ନୀମାନେ ତ ସାବିତ୍ରୀ ପୂଜା କରିଥାନ୍ତି ଉପବାସରେ ତା ସହ ନୂଆ ପୋଷାକ ମଧ୍ୟ ପିନ୍ଧିଥାନ୍ତି । ତେବେ ନୂଆ ଶାଢୀ କିଣିବା ପାଇଁ ବଜାରରେ ବେଶ ଗହଳି ଆଜିଠୁ ଜମିଥିବା ବେଳେ ଭୁବନେଶ୍ୱର ମାର୍କେଟରେ ମଧ୍ୟ ନାହିଁନଥିବା ଭିଡ ଜମିଛି ।
ସେପଟେ ସାବିତ୍ରୀକୁ ନେଇ ଫଳ ବଜାରରେ ଲାଗିଛି ନିଆଁ । ଆକାଶ ଛୁଆଁ ହୋଇଛି ଫଳ ରେଟ । ଫଳ ଦର ଏତେ ଯେ ହାତ ମାରି ହେଉନି କି ବ୍ୟାଗ ଭରୁ ନାହିଁ । ଆଉ ଏହି ମହଙ୍ଗା ମାଡ ଭିତରେ ବି ସାବିତ୍ରୀଙ୍କ ପାଇଁ ସତ୍ୟବାନ ଭଳି କି ଭଳି ଫଳ କିଣିଛନ୍ତି ।
ସାବିତ୍ରୀକୁ ନେଇ କ’ଣ କହେ କିମ୍ବଦନ୍ତୀ : ଅଶ୍ବପତି ନାମରେ ଜଣେ ରାଜା ଥିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମୀନତି କଲେ । ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ କନ୍ୟା ସନ୍ତାନ ଦେବାକୁ ଆଶୀର୍ବାଦ ଦେଇଥିଲେ । ଦେବୀଙ୍କ କୃପାରୁ ଅଶ୍ବପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହାର ନାମ ସାବିତ୍ରୀ ରଖିଥିଲେ ରାଜା ଅଶ୍ବପତି । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ବପତିଙ୍କ ଆଦେଶ ମତେ ନିଜ ଇଚ୍ଛାରେ ବର ଖୋଜିବାକୁ ବାହାରିଲେ । ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସତ୍ୟବାନଙ୍କ ଶୈଶବସ୍ଥାରେ ଦ୍ୟୁମତସେନ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ। ସାବିତ୍ରୀ ଭ୍ରମଣ କରୁକରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତିରେ ମୁଗ୍ଧ ହୋଇ ତାଙ୍କୁ ଜୀବନସାଥୀ କରିବାକୁ ସଂକଳ୍ପ କରିଥିଲେ । ସତ୍ୟବାନଙ୍କୁ ପତି ରୂପେ ପାଇବାକୁ ପିତାଙ୍କୁ ଜଣାଇଥିଲେ । ବିବାହ ପରେ ସାବିତ୍ରୀ ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ବାମୀଙ୍କ ସହିତ ତପୋବନରେ ରହି ଶାଶୁ ଓ ଶ୍ବଶୁରଙ୍କ ସେବା କରିଥିଲେ । ବିବାହର କିଛିଦିନ ପରେ ସତ୍ୟବାନଙ୍କ ପ୍ରାଣହାନୀ ଘଟିଥିଲା । ମାତ୍ର ସାବିତ୍ରୀ ତାଙ୍କ ନିଷ୍ଠା ଏବଂ ପତିବ୍ରତା ବଳରେ ଯମଙ୍କ ନିକଟରୁ ନିଜ ସ୍ବାମୀଙ୍କୁ ଫେରାଇ ଆଣିଥିଲେ । ସାବିତ୍ରୀଙ୍କ ଭଲପାଇବା ଆଗରେ ହାର୍ ମାନି ଯମ ବି ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସେବେଠାରୁ ସ୍ବାମୀଙ୍କ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ସଧବାମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି ।