Sunstar TV :
ସବୁ କିଛି ଓଲଟି ଯାଇଛି । ବଦଳି ଯାଇଛି ଓଡିଶା ରାଜନୀତିର ପାଣିପାଗ । ରାଜ୍ୟ ରାଜନୀତିରେ ଗୋଟିଏ ଅଧ୍ୟାୟର ଘଟିଛି ଅନ୍ତ । କାଲି ଯାଏଁ ଓଡିଶାବାସୀ ଆଶା ରଖିଥିଲେ ପୁଣିଥରେ ନବୀନ ପଟ୍ଟନାୟକ ଜିତିଯିବେ । ଓଡିିଶାରେ ଶୁଭିବ ଶଙ୍ଖ । ହେଲେ ସନ୍ଧ୍ୟାରେ ଆଣି ଦେଇଥିଲା ଓଡିଶାବାସୀଙ୍କ ମନରେ ଦୁଖଃ । ଯେଉଁଠି ହାର୍ ମାନିଥିଲା ବିଜେଡି ଓ ବାଜି ମାରିନେଇଛି ବିଜେପି । ଏବେ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ମୋଦି ଶାସନର ତୃତୀୟ ପାଳି । ମାତ୍ର ଓଡିଶାର ବିଧାନସଭା ଫଳାଫଳ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଦେଇଛି । ଭାଙ୍ଗିଛି ଦୀର୍ଘ ଅଢେଇ ଦଶନ୍ଧିର କ୍ଷମତାର ଧାରା । ଧରାଶାୟୀ ହୋଇଛି ନବୀନଙ୍କ ଦୁର୍ଗ । ନବୀନଙ୍କ ଅଖଣ୍ଡ ଲୋକପ୍ରିୟ ଭାବମୂର୍ତ୍ତିକୁ ମାତ ଦେଇ ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି । ଏନେଇ ନିର୍ବାଚନ ଆୟୋଗଙ୍କ ଆନୁଷ୍ଠାନିକ ଘୋଷଣା ବାକି ଥିବା ବେଳେ ଓଡିଶାରେ ବିଜେପି ସରକାର ଗଠନ କରିବା ପ୍ରୟାସ ମଧ୍ୟ ଆରମ୍ଭ କରିଛି ।
୨୦୦୦ରୁ ଶାସନ ଗାଦିରେ ବସିଥିଲା ବିଜେଡି :
୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହୋଇ ଭାରତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଜନନେତା ହେବା ଧାରାରେ ଥିବା ନବୀନ, ନିଜ ରାଜନୈତିକ ଜୀବନର ପ୍ରଥମ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି । ଏହା ସହ ପ୍ରତିଷ୍ଠା ପର ଠାରୁ ରାଜ୍ୟରେ କ୍ଷମତା ଚାଖି ଆସିଥିବା ବିଜୁ ଜନତା ଦଳ ମଧ୍ୟ ଏବେ ବିରୋଧୀ ଦଳ ଭୂମିକାକୁ ଗ୍ରହଣ କରିବାକୁ ନିଜକୁ ପ୍ରସ୍ତୁତ କରୁଛି । ୨୦୦୦ରୁ କ୍ରମାଗତ ଓଡିଶାର ଶାସନ ଭାର ପାଇଥିବା ବିଜେଡି ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଥିଲା । ହେଲେ ୨୦୦୯ ନିର୍ବାଚନରେ ବିଜେପି ଠାରୁ ମେଣ୍ଟ ଭାଙ୍ଗି ଏକାକୀ ଲଢି ରାଜ୍ୟରେ କ୍ଷମତା ଦଖଲ କରିଥିଲା ବିଜେଡି । ସେବେଠାରୁ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ଏକକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା । ପ୍ରଥମେ କଂଗ୍ରେସ ଓ ୨୦୧୯ ରେ ବିଜେପି ବିରୋଧୀ ଦଳ ଭୂମିକାକୁ ଆସିଥିଲା । ଗତ ନିର୍ବାଚନରେ ୮ ସଂସଦୀୟ ଆସନ ହାତେଇ ଶାସକ ବିଜେଡିକୁ ଶକ୍ତି ଦେଖାଇଥିଲା ବିଜେପି । ହେଲେ ଚଳିତ ନିର୍ବାଚନ ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଦୁଇ ଦଳ ମଧ୍ୟରେ ଥିଲା ଆରପାରର ଲଢେଇ ।
ସବୁଠି ବିଜେପି ପ୍ରାର୍ଥୀ ବିଜୟୀ :
କେନ୍ଦ୍ରାପଡାର ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ବିଜୟୀ ହୋଇଛନ୍ତି । ସେହିପରି ଉତ୍ତର ଓଡିଶାର ବାଲେଶ୍ବରରେ ବିଜେପି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପରାସ୍ତ କରିଛନ୍ତି । ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, ବରଗଡରୁ ପ୍ରଦୀପ ପୁରୋହିତ, କଳାହାଣ୍ଡିରୁ ମାଳବିକା ଦେବୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ଢେଙ୍କାନାଳରୁ ରୁଦ୍ର ପାଣି, ମୟୂରଭଞ୍ଜରୁ ନବ ମାଝୀ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ପୁରୀରେ ସମ୍ବିତ ପାତ୍ର, ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିଜୟୀ ହୋଇଛନ୍ତି ।