ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜିଠାରୁ ଆରମ୍ଭ ହୋଇଯାଇଛି ୬୨ତମ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ମିଳନୀ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହିବା ସହ ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ରେଞ୍ଜ ଆଇଜି ଏବଂ ଡିଆଇଜି ଉପସ୍ଥିତ ରହିବେ। ଏହାସହ ଭିଜିଲାନ୍ସ, ଜେଲ୍ ଏବଂ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ। ସମ୍ମିଳନୀରେ ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସଡ଼କ ନିରାପତ୍ତା, ଡିଜିଟାଲ ଅଫିସ୍ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱର ସହ ଆଲୋଚନା ହେବ।
ଜାତୀୟ ସ୍ତରର ବିଭିନ୍ନ ସମ୍ମିଳନୀରେ ଭାଗ ନେଇଥିବା ବରିଷ୍ଠ ଅଧିକାରୀ ମାନେ ଏଥିରେ ନିଜର ଅଭିଜ୍ଞତା ବାଣ୍ଟିବେ। ପ୍ରତିଷ୍ଠିତ ଲେଖକ କମଳା ଭାସିନ୍, କାନପୁର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଅଭୟ କାରାଣ୍ଡିକର୍ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ଅପରାହ୍ନ ୩ଟାରେ ପୋଲିସ୍ ଡିଜିଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟନ କରିବାର ବ୍ୟବସ୍ଥା ରହିଛି । ଆସନ୍ତାକାଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍-ସିଡିଏସ୍ ବିପିନ ରାୱତ୍ ସମ୍ମିଳନୀରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେବେ। ସିଡିଏସଙ୍କ ବକ୍ତବ୍ୟ ମୁଖ୍ୟ କେନ୍ଦ୍ର ବିନ୍ଦୁ ରହିଛି। ତେବେ ଏହି ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏ ଭର୍ଚୁଆଲ ମାଧ୍ୟମରେ ହେବ । ମିଳିଥିବା ସୂଚନା ଅନୁସାରେ, ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।