Sunstar TV :
ପୁଣିଥରେ ଦିଲ୍ଲୀରେ ଘଟିଛି ଶ୍ରଦ୍ଧା ହତ୍ୟାକାଣ୍ଡର ରିପିଟ୍ । ସ୍ତ୍ରୀକୁ ମାରି ୧୪ ଖଣ୍ଡ କରି ପିସ୍ ପିସ୍ କାଟିଛି ସଇତାନ ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ । ତେବେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅତି ବୀଭତ୍ସ ଭାବେ ହତ୍ୟା କରିବାସହ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ସ୍ୱାମୀ । ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।ଏଭଳି ହତ୍ୟାକାଣ୍ଡ ଘଟଣା ଦିଲ୍ଲୀ ଶ୍ରଦ୍ଧା ଘଟଣାକୁ ପୁଣି ମନେ ପକାଇ ଦେଇଛି ।
ଭୋପାଳ ପୋଲିସ ସୂଚନା ଅନୁଯାୟୀ, ଭୋପାଳର ସୋନିଆ ଖାନ ନାମକ ଜଣେ ମହିଳାଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ମେ ୨୧ ତାରିଖରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ନିଖୋଜ ମହିଳାଙ୍କ ସ୍ୱାମୀ ନଦିମଉଦ୍ଦିନଙ୍କ ଉପରେ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା । ହେଲେ ପ୍ରଥମେ ପୋଲିସକୁ ମିଛ କହି ଚଖମା ଦେବାକୁ ଚେଷ୍ଟା କରୁଥିଲା । ହେଲେ ପୋଲିସ ଯେତେବେଳେ ଅଧିକ ପଚରାଉଚରା କରିଥିଲା ସେତେବେଳେ ସେ ସତ ମାନିଥିଲା । ସେ ସ୍ତ୍ରୀ ସୋନିଆ ଖାନକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ମୃତଦେହକୁ ଲୁଚାଇବାକୁ ଯାଇ ତାକୁ ୧୪ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡିବା ସହ କିଛି ଖଣ୍ଡକୁ ପୋଡିଦେଇ ଥିବା ବେଳେ ଆଉ କିଛି ଖଣ୍ଡକୁ ମାଟି ତଳେ ପୋତି ଦେଇଥିବା ନେଇ ମାନିଥିଲା ଅଭିଯୁକ୍ତ ସ୍ୱାମୀ ।
ସ୍ତ୍ରୀକୁ ଦେଉଥିଲା ଯୌତୁକ ନିର୍ଯାତନା : ପୋଲିସ ଏହି ମାମଲାରେ ଅଧିକ ଖୋଳତାଡ କରିବା ପରେ ଜାଣିବାକୁ ପାଇଥିଲା ଯେ, ହତ୍ୟା ପୂର୍ବରୁ ଯୌତୁକ ପାଇଁ ପୂର୍ବରୁ ବହୁବାର ସୋନିଆକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ଅଭିଯୁକ୍ତ ସ୍ୱାମୀ । ସୋନିଆଙ୍କର ନଦୀମ ସହ ୨୦୨୦ମସିହାରେ ବିବାହ ହୋଇଥିଲା । ନଦୀମ ଅଟୋ ଡ୍ରାଇଭର ଥିଲା । ବିବାହ ସମୟରେ ସୋନିଆଙ୍କ ଘର ଲୋକ ଯୌତୁକ ଆକାରରେ ଅନେକ ସାମଗ୍ରୀ ଦେଇଥିଲେ । ବିବାହର ମାତ୍ର ୫ ଦିନ ପରେ ବାଇକ ମାଗିଥିଲା ନଦୀମ । ଏନେଇ ସୋନିଆଙ୍କୁ ମାରପିଟ କରିବାସହ ଅନେକ ଥର ତାଙ୍କୁ ଘରୁ ବାହାର ମଧ୍ୟ କରିଦେଇଥିଲା । ଏହାପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମଧ୍ୟ ବାରମ୍ବାର ମାରପିଟ କରୁଥିଲା ନଦୀମ ।
ମେ ୨୫ ତାରିଖରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ଯାଇ ତାକୁ ୧୪ ଖଣ୍ଡ କରିଥିଲା ନଦୀମ । ଏହି ଖଣ୍ଡ ଗୁଡିକୁ ଅଟୋରେ ରଖି ଫୋପାଡିବାକୁ ଚେଷ୍ଟା କରିଥିଲା । କିଛି ଖଣ୍ଡ ମାଟି ତଳେ ପୋତିବା ସହ ଆଉ କିଛି ଖଣ୍ଡ ପୋଡି ଦେଇଥିଲା ଅଭିଯୁକ୍ତ ।