Sunstar TV :
ସଲମାନଙ୍କୁ ମାରିବାକୁ ଚାଲିଥିଲା ଷଡଯନ୍ତ୍ର । ଫସର ଫଟାଇ ଦେଲା ମୁମ୍ବାଇ ପୋଲିସ । ତେବେ ସଲମାନଙ୍କୁ ମାରିବା ପାଇଁ ଲରେନ୍ସ ବିଷ୍ଣୌଇ୍ କରିଥିଲେ ଟାର୍ଗେଟ । ଆଉ ତାଙ୍କ ସହ ସାମିଲ ଥିଲେ ୪ ସହଯୋଗୀ । ଅଭିନେତାଙ୍କୁ ଆକ୍ରମଣ କରିବାକୁ ଆସି ଧରାପଡିଲେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ୪ ସୁଟର । ଏମାନେ ସଲମାନଙ୍କ ଉପରେ ଆକ୍ରମଣ ପାଇଁ କରିଥିଲେ ଷଡଯନ୍ତ୍ର । ହେଲେ ସେମାନଙ୍କ ଯୋଜନାକୁ ପଣ୍ଡ କରି ବାନ୍ଧିଛି ପୋଲିସ । ନାଭି ମୁମ୍ବାଇ ପୋଲିସ ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ଅଜୟ କଶ୍ୟପ ଛଦ୍ମନାମ ଧନଞ୍ଜୟ, ଗୌରବ ଭାଟିଆ ଓରଫ ନାହବି, ୱାସି ଖାନ ଓରଫ ୱସିମ ଚିକନା ଏବଂ ରିଜୱାନ ଖାନ ଓରଫ ଜାଭେଦ ଖାନ ବୋଲି ଜଣାପଡିଛି । ନାଭି ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । କାରକୁ ନଷ୍ଟ କରିବା ପାଇଁ ପାକିସ୍ତାନ ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା । ଏହି ମାମଲାରେ ଲରେନ୍ସ ବିଷ୍ଣୌଇ, ଅନମୋଲ ବିଷ୍ଣୌଇ, ଗୋଲ୍ଡି ବରାର, ସମ୍ପତ ନେହେରାଙ୍କ ସମେତ ୧୭ ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନା ଥାଉକି, ବାନ୍ଦ୍ରା ଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ ତାରିଖ ସକାଳେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୬ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଛି । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ଏମାନେ ବିହାରର ଚମ୍ପାରନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା । ଏହା ପରେ ଏପ୍ରିଲ ୨୫ରେ ପଞ୍ଜାବରୁ ଆଉ ୨ ଅଭିଯୁକ୍ତ ସୁଭାଷ ଚନ୍ଦର (୩୭) ଓ ଅନୁଜ ଥାପନ (୩୨)ଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତେବେ ଅଭିଯୁକ୍ତ ବିକି ଗୁପ୍ତା, ସାଗର ପାଲ ଏବଂ ଅନୁଜ ଥାପନଙ୍କୁ ଆସନ୍ତା ମେ ୮ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା । ଏବେ ଅନୁଜ ଥାପାନ୍ ଜୀବନ ହାରିଛି । ପରେ ଅନ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ପୋଲିସ ।