Sunstar Tv
Lok Sabha Election 2024: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ହେଲେ ଭୋଟ ଗ୍ରହଣ ବେଳେ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାମ କରୁ ନାହିଁ EVM । ଯେଉଁଥି ପାଇଁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଇଭିଏମ୍ ଖରାପ ଯୋଗୁଁ ମତଦାନ କେନ୍ଦ୍ରରେ ଭିଡ଼ ବଢିବାରେ ଲାଗିଛି ।
ସୂଚନା ଅନୁସାରେ, ଯାଜପୁର ୯୮ ନମ୍ବର ବୁଥରେ ଇଭିଏମ୍ ମସିନ ଅଚଳ ରହିଛି । ସେହିପରି ବାଙ୍ଗିରିପୋଷୀରେ ମଧ୍ୟ ୯୪ ନମ୍ବର ବୁଥରେ ଇଭିଏମ୍ ଖରାପ ଯୋଗୁଁ ମତଦାନ ବିଳମ୍ବ ହେଇଛି ।
ସେହିପରି ଗୋପ ବ୍ଲକ ୨୬୩ ଓ ୨୬୪ ନମ୍ବର ବୁଥରେ ଧାର୍ଯ୍ୟ ସମୟ ପରେ ବି ଆରମ୍ଭ ହୋଇପାରିନି ଭୋଟିଂ ।
ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର ।
ଏଥିପାଇଁ ୧୦ ହଜାର ୮୮୨ ବୁଥ୍ କରାଯାଇଥିବା ବେଳେ ୭୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହୋଇଯାଇଛି ବୁଥ୍। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୩୬ ହଜାର ପୋଲିସ।
କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ୬ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ମୋଟ ୪୨ ବିଧାନସଭା ଆସନରେ ହେବ ମତଦାନ।
ଇଭିଏମ୍ , ଭିଭିପାଟ୍ ସହ ଅନ୍ୟାନ୍ୟ ସରଞ୍ଜାମ ଧରି ବୁଥ୍ ଅଭିମୁଖେ ବାହାରିଯାଇଛନ୍ତି ପୋଲିଂ ଟିମ୍ । କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର କ୍ୟାମ୍ପରୁ ସରଞ୍ଜାମ ଧରି ଆଳି, ମହାକାଳପଡ଼ା, ରାଜନଗର, ପାଟକୁରା ଏବଂ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ ଅଭିମୁଖେ ଯାଇଛନ୍ତି ପୋଲିଂ ଅଧିକାରୀ ।
କଟକ ଜିଲ୍ଲାରେ ଥିବା ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ସାଲେପୁର, ମାହାଙ୍ଗା ଓ ନିଆଳି ପାଇଁ ମତଦାନ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସାଲେପୁରର ୨୫୩, ମାହାଙ୍ଗାର ୩୦୯ ଓ ନିଆଳିର ୨୭୪ ବୁଥ୍ରେ ଭୋଟ୍ ପଡ଼ିବ ।
ପୋଲିଂ ପାର୍ଟି ଇଭିଏମ୍ ନେଇ ନିଜ ନିଜ ବୁଥ୍କୁ ଯାଇଛନ୍ତି । ଭୋଟ୍ ପରିଚାଳନା କାର୍ଯ୍ୟ ସୁରୁଖୁରୁରେ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ।
ବାଲେଶ୍ୱର ଜିଲ୍ଲାରେ ମତଦାନ ପାଇଁ ସମସ୍ତ ପୋଲିଂ ବୁଥ୍ ପ୍ରସ୍ତୁତ ହେଉଛି । ଜିଲ୍ଲାରେ ମୋଟ ୧୯୨୬ଟି ବୁଥ୍ରେ ପୋଲିଂ ପାର୍ଟି ପହଞ୍ଚୁଛନ୍ତି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମତଦାନ ପାଇଁ ବାରିପଦା ଲ’ କଲେଜ ଏବଂ ବିଶ୍ବବିଦ୍ୟାଳୟ ପଡ଼ିଆରୁ ଇଭିଏମ୍ କଡ଼ା ସୁରକ୍ଷା ଭିତରେ ବିଭିନ୍ନ ବୁଥକୁ ପଠାଯାଇଛି।
ବାଙ୍ଗିରିପୋଷି, ରାଇରଙ୍ଗପୁର, ଯଶିପୁର, ଉଦଳା କ୍ଷେତ୍ରକୁ ପୋଲିଂ ପାର୍ଟି ବାହାରି ଯାଇଛନ୍ତି। ସଖୀ ବୁଥ୍ ପରିଚାଳନା ପାଇଁ ମହିଳା ପୋଲିଂ ପାର୍ଟି ମଧ୍ୟରେ ରହିଛି ଢେର ଉତ୍ସାହ।