Sunstar TV :
ପୁଣି ଆଗରେ ଓଡିଆ ଓ ଓଡିଶା । କାନ୍ସ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି ଓଡିଶାର ଜଲୱା । ଚଳିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ନିର୍ଦ୍ଦେଶକ ପ୍ରଣବ କୁମାରଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ । ଏହି ଓଡ଼ିଆ ଡକ୍ୟୁମେଣ୍ଟ୍ରି ସିନେମା ଓଡ଼ିଶାର ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ପାଭିଲିୟନରେ ପ୍ରଦର୍ଶିତ ହୋଇଛି । ତେବେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଖୁବ ପ୍ରଶଂସିତ ହେବା ସହ ଏହା ରାଜ୍ୟ ପାଇଁ ଆଣିଦେଇଛି ଗୌରବ । ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଓଡ଼ିଆ ଚଳଚିତ୍ର ଭାବେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ଥାନିତ ହୋଇଥିଲା । ଭାରତ ପର୍ବର ଉଦଯାପନୀ ସମାରୋହରେ ଫିଲ୍ମର ଟିମକୁ ନିମନ୍ତ୍ରଣ ମିଳିଥିବା ବେଳେ ଏନ୍ଏଫ୍ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନର ଉଦ୍ୟାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ ହୋଇଥିଲା । ମାର୍ଚ୍ଚ ୨୨ରେ ଫିଲ୍ମଟି ପ୍ରଦର୍ଶିତ କରାଯାଇଥିଲା । ଏନେଇ ଫିଲ୍ମର ନିର୍ମାତା କହିଛନ୍ତି ଏହି ଫେଷ୍ଟିଭାଲ ଯୋଗୁଁ ଶିକ୍ଷା ପାଇଁ ସମର୍ପଣ ଥିବା ଜଣେ ଶତାୟୁ ଶିକ୍ଷକଙ୍କ କାହାଣୀ ଜାଣିଲା ପୁରା ବିଶ୍ୱ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ କନ୍ତିରା ଗାଁର ଶତାୟୁ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ । ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ । ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ତାଙ୍କର ଏହି ବାୟୋପିକ ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ବେଶ ପ୍ରଂଶସା ସାଉଁଟୁଛି । ତେବେ ଚଳଚ୍ଚିତ୍ରଟି ବିଭିନ୍ନ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।