SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ଚାପଖେଳ ବେଳେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣରେ ଆଖି ବୁଜିଦେଲା ନିସ୍ପାପ ଶିଶୁ । ପୁଅର ମୃତ୍ୟୁରେ ଭାଙ୍ଗି ପଡିଛି ପୁରା ପରିବାର । ବାପାର ଆଖିରୁ ଲୁହ ସୁଖୁନି କି ମାଆର ମନ ଜମା ବୋଲ ମାନୁନି । ଗୁମୁରି ଗୁମୁରି ଆଖି କାନ୍ଦୁଛି, ଛାତି ଯେମିତି ଥରି ଉଠୁଛି । ପୁଅ ରୁଷିକେଶକୁ ହେରେଇ ମୁକ ପାଲଟି ଯାଇଛନ୍ତି ବାପା ରାଜେନ୍ଦ୍ର କର୍ମକାର । ପାଟିରୁ କଥା ବାହାରିଲେ ଆଖିରୁ ଧାର ଧାର ଲୁହ ବୋହି ଆସୁଛି । ପୁଅର କଥା କହିଲା ବେଳକୁ ବାପାଟି କୋହକୁ ସମ୍ଭାଳି ପାରୁନି । ପାଖରେ ଟିକିଏ କୋଉଠି ମୋ ପୁଅକୁ ଚିକିତ୍ସା କରିଥିଲେ ମୋ ପୁଅଟି ବଞ୍ଚି ଯାଇଥାନ୍ତା । ମୋ ପୁଅ ତ ଚାଲିଗଲା ଆଉ କାହା ସହିତ ଏମିତି ନ ଘଟୁ ।
କେବଳ ବାପା ନୁହଁ ମାଆ ବି ବଖାଣିଛନ୍ତି ପୁଅର କଥା । ଯେତେବେଳେ ବାଣ ବିସ୍ଫୋରଣ ଘଟିଲା ନିଆଁରେ ପୋଡି ପୁଅ ପ୍ରଥମେ ପାଣି ଭିତରକୁ ପଶି ଯାଇଥିଲା । ନାବାଳକ ରିଷିକେଶ ଅନ୍ୟମାନଙ୍କୁ ଗୁହାରି କରିଥିଲା ମୋତେ ହସ୍ପିଟାଲକୁ ନେଇ ଯାଅ । ମୋତେ ଏସି ଭତରେ ରଖି ଦିଅ । ମୋ ଦେହ ହାତ ଜଳିପୋଡି ଯାଉଛି । ଏହାରି ଭିତରେ ହସ୍ପିଟାଲରେ ପହଞ୍ଚିଥିଲା ସତ ହେଲେ ସେଠି ତାର ଚିକିତ୍ସା କରାଯାଇ ପାରିନିଥିଲା । ଏସି ଏସି କହି ଚିଲ୍ଲଉଥିଲା ଶିଶୁଟି । ଆମ୍ବୁଲାନ୍ସରେ କଟକ ପଠାଗଲା ଆଉ ସମୟର ବ୍ୟବଧାନ ଭିତରେ ଏସିବିରେ ଆଖିବୁଜିଦେଲା ରିଷିକେଶ । ପୁଅରେ ମୃତ୍ୟୁର ଅଲିଭା କଥା କହିଲା ବେଳକୁ ମାଆର ମନ ଯେମିତି ପୋଡି ଯାଉଥିଲା ପ୍ରଶାସନିକ ବ୍ୟବସ୍ଥାକୁ ନେଇ ।
ଏସିବିରେ ଚିକିତ୍ସିତ ହେଉଥିବା ୮ ଜଣ ଙ୍କ ମଧ୍ୟରୁ ନାବଳକଟି ଆଖିବୁଜିଦେଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି ଅନ୍ୟମାନେ । କେବଳ ଏସିସିବି ନୁହେଁ ବିଭିନ୍ନ ହସ୍ପିଟାଲରେ ଚାଲିଛି ବାଣ ବିସ୍ଫୋରଣ ପରର ଜୀବନ ମରଣ ଖେଳ । ଗୁରୁତରଙ୍କୁ ସୁସ୍ଥ କରିବାକୁ ଲାଗି ପଡିଛନ୍ତି ଡାକ୍ତରୀ ବିଭାଗ ।