Sunstar TV
ଭୁବନେଶ୍ୱର : ମଣିଷ ଆଉ ଲଢିବନି ଯୁଦ୍ଧ, ଯୁଦ୍ଧ ଲଢିବ ଟେକ୍ନୋଲୋଜି, କୁକୁର ହାତରେ ବନ୍ଧୁକ ଆଉ ଟ୍ୟାଙ୍କ୍ । ତାଇୱାନ ସୀମା ଚାରିପାଖରେ ଚୀନ୍-କାମ୍ବୋଡିଆ ମିଳିତ ଯୁଦ୍ଧାଭ୍ୟାସ ଚଲାଇଥିବାବେଳେ ଏଥିରେ ଚୀନର ରୋବୋଟିକ୍ ଡଗ୍ ବି ସାମିଲ ହୋଇଛି । ଏହି ରୋବୋ କୁକୁର ସୈନ୍ୟଙ୍କ ପରି ଗୁଳି ଚଳାଇବାର କ୍ଷମତା ରଖିଛି । ରୋବୋ ଡଗ୍ ୩୨୮ ଫୁଟ୍ ପର୍ଯ୍ୟନ୍ତ ଟାର୍ଗେଟ କରିପାରିବ । ଏବେ ଚୀନ୍ ଯୁଦ୍ଧାଭ୍ୟାସରେ ଏହାକୁ ବ୍ୟବହାର କରଯିବା ସହ ତାଲିମ ମଧ୍ୟ ଦିଆଯାଉଛି । ଚାଇନିଜ୍ ରୋବୋ ଡଗ୍ ସୈନ୍ୟର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି । ଯୁଦ୍ଧାଭ୍ୟାସରେ ଏହି ରୋବୋ ଭାଗ ନେଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏକ ରିପୋର୍ଟ ଅନୁସାରେ, ଏବେ ଚୀନ୍, ଆମେରିକା ଭଳି ଅନ୍ୟ ବିକଶିତ ଦେଶଗୁଡ଼ିକ ମଣିଷ ଭଳି କାମ କରିପାରୁଥିବା ଏବଂ ଅନୁରୂପ ଦକ୍ଷତା ବିଶିଷ୍ଟ ରୋବୋ ନିର୍ମାଣ କରୁଛନ୍ତି । ଏପରିକି ଯୁଦ୍ଧରେ ଲଢ଼ିବା ଭଳି ଦକ୍ଷତା ଥିବାଭଳି ସୈନ୍ୟ ରୋବୋ ତିଆରି କରୁଛନ୍ତି । ଚୀନ୍ ର ଏହି ରୋବୋର ଓଜନ ୧୫ କେଜି ହେବ । ଏଥିରେ ୪ଡି-ସୁପର-ୱାଇଡ-ଆଙ୍ଗେଲ୍ ସେନ୍ସର ସିଷ୍ଟମ ରହିଛି । ରୋବୋଟିକ୍ ଡଗ୍ର ବ୍ୟାଟେରି ଏବଂ ପାୱାର ସିଷ୍ଟମ ଅଛି ଯାହା କି ୨ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରଖିପାରିବ । ଏହା ଆଗୁଆ ଏବଂ ପଛୁଆ ଚାଲିପାରିବ, ଡେଇଁପାରିବ, ନଇଁପାରିବ, କମ୍ ସମୟରେ ଟାର୍ଗେଟ ନିକଟରେ ପହଞ୍ଚିବା ଲାଗି ବାଟ ବାଛିପାରିବ । ରିମୋଟ କଣ୍ଟ୍ରୋଲ ଦ୍ୱାରା ଏହା ପରିଚାଳିତ ହେବା ସହ ଏହା କମାଣ୍ଡ ସେଣ୍ଟରକୁ ରିଅଲ ଟାଇମ୍ ର ଡାଟା ପଠାଇପାରିବ ।
ରୋବୋ ଡଗ୍ ଯୁଦ୍ଧରେ ଚୀନ୍ ପାଇଁ ବେଶ୍ ମୂଲ୍ୟବାନ ପ୍ରମାଣିତ ହେବ ଏବଂ ଏହା ସୈନ୍ୟଙ୍କ ମୃତାହତ ସଂଖ୍ୟା କମାଇପାରିବ ବୋଲି ଚୀନ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତ ଚୀନ୍ ଏବଂ ଆମେରିକାଠାରୁ ବେଶ୍ ପଛରେ ରହିଛି । ଭାରତୀୟ ସେନା ନିକଟରେ ରୋବୋଟିକ୍ ଡଗ୍ ମ୍ୟୁଲ ଲଞ୍ଚ୍ କରିଛି । ଏହାକୁ ଗତ ମାର୍ଚ୍ଚ ୧୨ରେ ପୋଖରାନ୍ ରେ ହୋଇଥିବା ଯୁଦ୍ଧାଭ୍ୟାସରେ ପ୍ରଦର୍ଶିତ କରାଯାଇଥିଲା । ଏହା ସେନାର ତଦାରଖ କାମ ଏବଂ ଯୁଦ୍ଧ ଅଭିଯାନଗୁଡ଼ିକରେ ସହାୟତା କରିପାରିବ ।