ସନଷ୍ଟାରଟିଭି ବ୍ୟୁରୋ
ଆସାମ ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ହିରୋ ସାଜି ଅଭିନୟର ଯାଦୁ ଦେଖାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବରଗଡ଼ ଜିଲ୍ଲାର ପଦ୍ମପୁର ମହୁଲପାଲିର ଜଗନ୍ନାଥ ସେଠ୍। ଆସାମର ସେମ୍ଖୋର୍ ପାହାଡ଼ ନାମରେ ଆଦିବାସୀଙ୍କ ଜୀବନଶୈଳୀ ଉପରେ ‘ସେମ୍ଖୋର୍’ ଫିଲ୍ମଟି ନିର୍ମାଣ ହେଉଛି । ଏହି ପାହାଡ଼ ଅଞ୍ଚଳରେ ରହୁଥିବା ଦିମାସା ଆଦିବାସୀଙ୍କ ଉପରେ ପ୍ରଥମଥର ପାଇଁ ଫିଲ୍ମ ତିଆରି କରାଯାଇଛି।
ଏହି ଚଳଚ୍ଚିତ୍ରରେ ଲିଡ୍ ରୋଲ୍ରେ ଅଛନ୍ତି ଜଗନ୍ନାଥ। ସବୁଠାରୁ ବଡ଼ କଥା ହେଲା ସେମାନଙ୍କ ଭାଷା ଶିଖିବା ସହ ଡବିଂରେ ନିଜେ ସେ ଭଏସ୍ ଦେଇଛନ୍ତି। ତାଙ୍କ ନାୟିକା ସାଜିଛନ୍ତି ଆସାମର ସୁନାମଧନ୍ୟ ଅଭିନେତ୍ରୀ ଆଇମି ବରୁଆ। ସମୀର ଶଶାଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ଅଭିନେତ୍ରୀ ଆଇମି ଏହାର ପ୍ରଯୋଜନା କରିଛନ୍ତି।
ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରୁ ୨୦୧୦ରେ ସ୍ନାତକ ଲାଭ କରିବା ପରେ ଜଗନ୍ନାଥ ପ୍ରଥମ ଥର ପାଇଁ ବଡ଼ ପରଦାରେ ଲିଡ୍ ରୋଲ୍ରେ ନଜର ଆସିବାକୁ ଯାଉଛନ୍ତି। ୩୪ ବର୍ଷୀୟ ଜଗନ୍ନାଥଙ୍କ ଥିଏଟର୍ରେ ୨୩ ବର୍ଷର ଅଭିଜ୍ଞତା ରହିଛି। ସେ ଲୋକ୍ ନାଟ୍ୟ ସଂସ୍ଥା ଲୁ’ ପଦ୍ମପୁରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।