SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ସ୍ଥଳଭାଗ ଛୁଇଁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ରୋମାଲ୍ । ପଶ୍ଚିମବଙ୍ଗର ସାଗରଦ୍ୱୀପ ଓ ବାଂଲାଦେଶର ଖେପୁପଡା ମଧ୍ୟବର୍ତ୍ତୀ ଉପକୂଳରେ କରିଛି ଲ୍ୟାଣ୍ଡଫଲ । ରାତି ସାଢେ ଆଠଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ ରାତି ୧୨.୩୦ ଯାଏଁ ଉପକୂଳରେ ସୃଷ୍ଟି କରିଥିଲା ତାର ତାଣ୍ଡବ ଳୀଳା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ କି.ମି. ଥିଲା । ପରବର୍ତ୍ତୀ ସମୟରେ ପବନର ବେଗ ବଢି ଘଣ୍ଟା ପ୍ରତି ୧୧୦ରୁ ୧୨୦ କି.ମି ଓ ସ୍ଥଳ ବିଶେଷରେ ୧୩୫ କି.ମି ରହିଥିଲା ।ଫଳରେ ଉପକୂଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ତେବେ ବାତ୍ୟା ରୋମାଲର ପ୍ରଭାବରେ ଆଜି ୪ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ୫୧.୯, ପାରାଦୀପରେ ୪୬, ଜଗତସିଂହପୁରରେ ୩୦.୩ ଓ ବାଲେଶ୍ୱରରେ ୨୫.୨ମିମି ବର୍ଷା ରେକର୍ଡ କରାଯାଇଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର ବାତ୍ୟାର ବିଶେଷ ପ୍ରଭାବ ରହିବନି । ଖୋର୍ଦ୍ଧାରୁ ବାଲେଶ୍ୱର ଯାଏ ପାଗ ମେଘୁଆ ରହିବା ସହ ତାତି କମିବ । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ପାଗ କୋହଲା ରହି ସୋମବାର ମଧ୍ୟାହ୍ନ ସୁଦ୍ଧା ବର୍ଷା ହେବ । ସେହିପରି ଉପକୂଳରେ ହାଲୁକା ବର୍ଷା ହେବା ସହ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହା ବ୍ୟତୀତ ଜୁନ୍ ୧ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବ ବୋଲି ଡ. ପଶୁପାଳକ କହିଛନ୍ତି । ତେବେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିଭଳି ୨୮ ତାରିଖରୁ ପୁଣି ତାତି ବଢିବା ସହ ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ୪୧ରୁ ୪୨ ଡିଗ୍ରୀ ରହିବ ଦିନର ତାପମାତ୍ରା । ୨୯ ସୁଦ୍ଧା ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାତି ୪୪ ଡିଗ୍ରୀ ରହିବ ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ରାତି ସାଢ଼େ ୯ଟାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ଓଡ଼ିଶା ଉପରେ ଆଉ କୌଣସି ପ୍ରଭାବ ରହିବନି । ସୋମବାର ଅର୍ଥାତ୍ ଆଜିଠାରୁ ପାଗ ଶୁଖିଲା ରହିବ । ରାଜ୍ୟକୁ ଅଧିକ ଜଳୀୟବାଷ୍ପ ଆସୁଥିବାରୁ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ତାତି ୪୦ ଡିଗ୍ରୀ ତଳେ ରହିଛି । ଅନେକ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀରୁ ତଳକୁ ଖସିଛି । ଭୁବନେଶ୍ୱରରେ ଆଜିର ତାପମାତ୍ରା ୩୩ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରୀ ରହିଛି ।