SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦୁନିଆକୁ ବୁଝିବା ଆଗରୁ ସେ ଦୁନିଆ ଛାଡିଦେଲା । କିନ୍ତୁ ଯିବାବେଳେ ଦେଇଗଲା ଆଉ ୨ ଜୀବନ । ସମସ୍ତଙ୍କୁ ହସୁଥିବା ପୁଅ ଆଜି ସବୁଦିନ ପାଇଁ ନିରବି ଗଲା । ଆଉ ପୁଅ ଯିବା ପରେ ଛାତିରେ ପଥର ରଖି ବାପା ଦେଖାଇଛନ୍ତି ତାଙ୍କର ମହାନତା । ୨୧ମାସର ଶିଶୁପୁତ୍ରକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ସତ, କିନ୍ତୁ ନିଜ ପୁଅର ଅଙ୍ଗ ପ୍ରଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିବାର ଉଦାରତା ମଧ୍ୟ ଦେଖାଇଛନ୍ତି। ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ବ୍ରେନ୍ଡେଡ୍ ହୋଇଥିବା ଏହି ଶିଶୁର ଅଙ୍ଗଦାନର ନିଷ୍ପତ୍ତି ନେଇ ଅନ୍ୟ ଦୁଇ ଜଣଙ୍କର ଜୀବନ ରକ୍ଷା କରାଯାଇପାରିଛି ।
ତେବେ ବାଲେଶ୍ୱର ଜିଲ୍ଲା ସୋର ଆଂଚଳର ଗୌରୀଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀଙ୍କ ୨୧ ମାସର ଶିଶୁପୁତ୍ର ପ୍ରତ୍ୟୁଷ ପାଣିଗ୍ରାହୀ । ଜନ୍ମ ହେବାର ମାତ୍ର ୪ ମାସ ପରେ ତାଙ୍କର ଦେଖା ଦେଇଥିଲା ମସ୍ତିସ୍କ ସମସ୍ୟା । ଫଳରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ସମହସ୍ପିଟାଲରେ ଚିକିତ୍ସା କରୁଥିଲେ । କିନ୍ତୁ ଗତକାଲି ରାତିରେ ତାର ବ୍ରେନ୍ଡେଡ୍ ହେବାରୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହାପରେ ବାପା ମା ଦେଖାଇଥିଲେ ତାଙ୍କର ମହନୀୟତା । ୨୧ ମାସର ଶିଶୁ ପୁତ୍ରର ଅଙ୍ଗଦାନ କରିବାକୁ ନେଇଥିଲେ ନିଷ୍ପତି । ୨୦୨୨ ମସିହାରେ ଜନ୍ମ ନେଇଥିବା ଏହି ଶିଶୁ ପୁତ୍ରଟି ଅନେକ ଥର ହସ୍ପିଟାଲ୍ ଆସିବା ସହ ଚିକିତ୍ସିତ ହୋଇ ପୁଣି ଘରକୁ ଫେରୁଥିଲା ବୋଲି ସମ୍ ହସ୍ପିଟାଲର ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ଦେବସ୍ମିତା ରଥ କହିଛନ୍ତି । କିନ୍ତୁ ୧୫ ଦିନ ତଳେ ମେନିନ୍ଜାଇଟିସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲା । ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଦିନ ସେପ୍ଟିକ୍ ସକ୍ ହେବା ପରେ ଶିଶୁଟିକୁ ବ୍ରେନ୍ଡେଡ୍ ଘୋଷଣା କରାଯାଇଥିଲା । ତେବେ ଶିଶୁଟି ବ୍ରେନ୍ଡେଡ୍ ହୋଇଯିବା ପରେ ତାର ପିତାମାତା ଗୌରୀଶଙ୍କର ପାଣିଗ୍ରାହୀ ଓ ଶର୍ମିଷ୍ଠା ପାଣିଗ୍ରାହୀ ତାର ଅଙ୍ଗଗୁଡିକୁ ପ୍ରତ୍ୟାରୋପଣ ପାଇଁ ଅପେକ୍ଷାରତ ଥିବା ଅନ୍ୟ ରୋଗୀମାନଙ୍କୁ ପ୍ରଦାନ କରି ସେମାନଙ୍କ ଜୀବନ ବଂଚାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ଏହା ପରେ ହସ୍ପିଟାଲ୍ କର୍ତୃପକ୍ଷ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ସୋଟୋ) କୁ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନ୍ୟାସନାଲ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍ (ନୋଟୋ)କୁ ଯୋଗାଯୋଗ କରିଥିଲେ । ଶିଶୁଟିର ଲିଭରକୁ ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ ଲିଭର ଆଣ୍ଡ ବିଲିଆରି ସାଇନସେସ୍ (ଆଇଏଲବିଏସ)ରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବା ବେଳେ ଦୁଇଟି କିଡ୍ନିକୁ ରାଜଧାନୀର ଏକ ହସ୍ପିଟାଲରେ ଆଉ ଜଣେ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ । ଭୁବନେଶ୍ୱର ଏମ୍ସର ଏକ ଡାକ୍ତରୀ ଟିମ୍ ଶିଶୁଟିର ଶରୀରରୁ ଲିଭରଟିକୁ କାଢ଼ି ଥିବାବେଳେ ଏଥି ନିମନ୍ତେ ପୋଲିସ୍ ହସ୍ପଟାଲରୁ ବିମାନବନ୍ଦର ଯିବା ରାସ୍ତାରେ ଏକ ଗ୍ରୀନ କରିଡର ପ୍ରସ୍ତୁତ କରିଥିଲା । ଶିଶୁଟିକୁ ତାର ପୈତୃକ ବାସଭବନ ବାଲେଶ୍ୱରର ସୋରରେ ତାର ଅନ୍ତ୍ୟେଷ୍ଟି କ୍ରିୟା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି ।