SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦେଶରେ ଚାଲିଛି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ଯେଉଁଥିରେ ଦେଶର ସମସ୍ତ ଭୋଟର ନିଜକୁ ସାମିଲ କରିବା ସହ କରୁଛନ୍ତି ନିଜର ମତ ସାବ୍ୟସ୍ତ । ନେତା ହୁଅନ୍ତୁ ଅବା ସାଧାରଣ ଜନତା ଲାଇନରେ ଛିଡା ହୋଇ ଦେଉଛନ୍ତି ଭୋଟ । ତେବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଦାନ । ଏହାରି ଭିତରେ ଆମ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେ ଦିଲ୍ଲୀର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ମହାବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଥିବା ଜଣାପଡିଛି ।
ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରି ବେଶ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଭୋଟ । ସେ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ମତଦାନ କରିଛନ୍ତି । ତେବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗତବର୍ଷ ନିଜର ଭୋଟ ପରିଚୟପତ୍ର ଦିଲ୍ଲୀକୁ ସ୍ଥାନାନ୍ତରିତ କରିଥିଲେ । ଏହା ପୂର୍ବରୁ ତାଙ୍କର ଭୋଟର ଆଇଡି ଓଡିଶାରେ ହିଁ ରହିଥିଲା । ତେବେ ଭୋଟ ଦେବାପରେ ରାଷ୍ଟ୍ରପତି ସେଲ୍ଫି ଫଏଣ୍ଟରେ ଭୋଟର କାଳି ଲାଗିଥିବା ଆଙ୍ଗୁଳି ଦେଖାଇ ଫଟୋ ମଧ୍ୟ ଉଠାଇଛନ୍ତି ।