Sunstar TV
ବହୁ ଚର୍ଚ୍ଚିତ ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଆସିଛି ଟ୍ୱିଷ୍ଟ । ଦୁର୍ଘଟଣା ସମୟରେ ଅଭିଯୁକ୍ତ ନାବାଳକ ନୁହେଁ ଡ୍ରାଇଭର ଚଲାଉଥିଲେ ଗାଡ଼ି । ଏନେଇ ଖୋଦ ନାବାଳକ ଓ ଗିରଫ ହୋଇଥିବା ତାଙ୍କ ପିତା ପୁଲିସ୍ ସମ୍ମୁଖରେ ବୟାନ ରେକର୍ଡ କରିଛନ୍ତି । ଦୁର୍ଘଟଣା ସମୟରେ ଗାଡ଼ିରେ ଥିବା ନାବାଳକଙ୍କ ଦୁଇ ସାଙ୍ଗ ବି ଏହି କଥା କହିଛନ୍ତି । ଅଭିଯୁକ୍ତ ନାବାଳକଙ୍କ ପିତା ରିୟଲ ଇଷ୍ଟେଟ ଡେଭଲପର ବିଶାଲ ଅଗ୍ରୱାଲଙ୍କ କହିବାନୁଯାୟୀ, ତାଙ୍କ ଡ୍ରାଇଭର ହିଁ ଦୁର୍ଘଟଣା ସମୟରେ ଗାଡ଼ି ଚଲାଉଥିଲେ। ଏହାପରେ ଗତ ରାତିରେ ଡ୍ରାଇଭର ଜଣକ ନିଜ ବୟାନ ରେକର୍ଡ କରି ସେ ହିଁ ଗାଡ଼ି ଚଲାଉଥିବା କହିଛନ୍ତି ।
ଦାମୀ ପୋର୍ସ କାର୍ଟି ଅଗ୍ରୱାଲ ପରିବାର ନାଁରେ ଥିବା ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି । ଅଭିଯୁକ୍ତ ନାବାଳକଙ୍କ ଜେଜେ ସୁରେନ୍ଦ୍ର ଅଗ୍ରୱାଲ ଉକ୍ତ ଫାର୍ମର ମାଲିକ ଥିବାରୁ ପୁଲିସ୍ ତାଙ୍କୁ ପଚରାଉଚରା କରୁଛି । ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ପୁଲିସ୍ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯୋଗାଡ଼ କରିବାରେ ଲାଗି ପଡ଼ିଛି । ଏଥିସହ ପୁଲିସ୍ ତରଫରୁ ଅଦାଲତରେ ଦିଆଯାଇଥିବା ବୟାନ ଅନୁଯାୟୀ, ନାବାଳକଜଣକ କାର ଚଳାଇବାରୁ ଇଚ୍ଛା ପ୍ରକଟ କରିବାରୁ ଡ୍ରାଇଭର ତାଙ୍କ ପିତାଙ୍କୁ ଫୋନ୍ କରିଥିଲେ । ଏହାପରେ ବିଶାଳ ଅଗ୍ରୱାଲ ପୁଅକୁ ଗାଡ଼ି ଚଲାଇବାକୁ ସୁଯୋଗ ଦେବାକୁ ଅନୁମତି ଦେଇଥିଲେ । ଏହି ଅଭିଯୋଗରେ ପୁଲିସ୍ ବିଶାଳଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି। ତେଣୁ ଡ୍ରାଇଭରଙ୍କୁ ଏହି ମାମଲାରେ ସାକ୍ଷୀ ରୂପେ ହାଜର କରିବାକୁ ପୁଲିସ୍ ତତ୍ପରତା ପ୍ରକାଶ କରିଛି ।
ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ନିମନ୍ତେ ପୁଲିସ୍ ବିଶାଲଙ୍କ ମୋବାଇଲ ଫୋନ୍ ଜବତ କରି ଯାଞ୍ଚ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତଙ୍କ ଜେଜେ ସୁରେନ୍ଦ୍ର ଅଗ୍ରୱାଲଙ୍କୁ ବି ପଚରାଉଚରା କରିଛି। ପୁଲିସ୍ କାର ଜବତ କରି ଫରେନସିକ ଟିମ୍ ଦ୍ୱାରା ତାହାର ଯାଞ୍ଚ କରିଛି । ତିନି ଦିନ ପୂର୍ବେ ୧୭ ବର୍ଷର ଜଣେ ନାବାଳକ ମଦ ନିଶାରେ ନିଜର ଦାମୀ ପୋର୍ସ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେଇଥିଲା । ଏଥିରେ ମଧ୍ୟପ୍ରଦେଶର ଦୁଇଜଣ ଇଞ୍ଜିନିୟର ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦୁଇଜଣ ପୁଣେରେ ରହି କାମ କରୁଥିଲେ । ଏହି ମାମଲାରେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ କିଛି ସର୍ତ୍ତ ଆଧାରରେ ଅଭିଯୁକ୍ତ ନାବାଳକକୁ ଛାଡି ଦେଇଥିଲେ । ଏହାକୁ ନେଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଇଥିଲା । ପରେ ପୁଲିସ୍ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦେଇଛି । ପୁଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ବାରର ଦୁଇଜଣ ମ୍ୟାନେଜର, ବାର ମାଲିକ, ହୋଟେଲ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲ ସାମିଲ ଅଛନ୍ତି ।