Sunstar TV
ବର୍ତ୍ତମାନ ସମୟରେ ମୋବାଇଲ୍ ନିଶା ପ୍ରାୟତଃ ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ କିମିଆ କରିଛି । ଆଉ ଏହି ନିଶା ସାଧାରଣତଃ ଛୋଟ ପିଲାଙ୍କ କ୍ଷେତ୍ରରେ ଅଧିକ ଦୃଶ୍ୟମାନ ହେଉଛି, ଯାହାକି ବେଳେବେଳେ ଅତ୍ୟଧିକ ଭୟଙ୍କର ସାବ୍ୟସ୍ତ ହେଉଛି । ବ୍ରାଜିଲରୁ ସେମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପିଲା ହାତରୁ ତାଙ୍କ ଅଭିଭାବକ ମୋବାଇଲ୍ ଫୋନ୍ ଛଡ଼ାଇ ନେବାରୁ ପିଲାଟି ଅତ୍ୟଧିକ ରାଗିଯାଇ ସେ ତାଙ୍କ ବାପା-ମା’ ଏବଂ ଭଉଣୀକୁ ଗୁଳି ମାଡ କରିଛି ।
ଗତ ସୋମବାର ସାଓ ପାଉଲୋରେ ଏହି ଟ୍ରିପଲ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏଠାରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ଥାନୀୟ ସୁରକ୍ଷା ମନ୍ତ୍ରଣାଳୟ ଏହା ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ତଦନ୍ତ ମୁଖ୍ୟ ରୋବର୍ଟୋ ଆଫୋନସୋ କହିଛନ୍ତି ଯେ, ନଗର ପୋଲିସ ଏବଂ ତାଙ୍କ ପତ୍ନୀ ଏକ ପୁଅକୁ ଗ୍ରହଣ କରିଛନ୍ତି । ଦିନେ ତାଙ୍କ ବାପା-ମା’ଙ୍କ ସହ କିଛି ପ୍ରସଙ୍ଗରେ ପିଲାଟିର ବିବାଦ ହୋଇଥିଲା । ସେମାନେ ତା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ । ଏଥିରେ ରାଗିଯାଇ ପିଲାଟି ତାଙ୍କ ବାପାଙ୍କ ସର୍ବିସ୍ ବନ୍ଧୁକ ଉଠାଇ ୫୭ ବର୍ଷିୟ ପିତାଙ୍କୁ ଗୁଳି କରି ହତ୍ୟା କରିଥିଲା।
ତା’ପରେ ସେ ଉପର ମହଲାରେ ଭଉଣୀ ଥିବା କୋଠରୀକୁ ଯାଇ ୧୬ ବର୍ଷର ଭଉଣୀକୁ ଗୁଳି କରିଦେଲା । ତେବେ ମା’ ସେତେବେଳେ ଘରେ ନଥିଲେ । ମା’ କିଛି ଘଣ୍ଟା ପରେ ଘରେ ପହଞ୍ଚିବା ପରେ ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା। ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ବାଳକଟି ତାଙ୍କ ପିତାମାତା ଏବଂ ଭଉଣୀଙ୍କ ମୃତଦେହ ସହିତ ଏକାକୀ ଘରେ ରହିଥିଲା । ଏହି ସମୟରେ ସେ ଏକ ସାଧାରଣ ଜୀବନ ବିତାଉଥିଲା। ସୋମବାର ବାଳକ ନିଜେ ପୋଲିସକୁ ଏହା ଜଣାଇ ନିଜ ଅପରାଧ ସ୍ୱୀକାର କରିଛି । ପୋଲିସ ତାଙ୍କୁ ଗିରଫ କରିଛି ।
ସୂଚନାଥାଉକି ଯେ ବ୍ରାଜିଲର ଏକ ସ୍ୱତନ୍ତ୍ର ନିୟମ ଅନୁଯାୟୀ ନାବାଳକ ଅଭିଯୁକ୍ତମାନେ ସୁରକ୍ଷା ପାଆନ୍ତି । ବୟସ୍କ ମାନଙ୍କ ପରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ପାରିବ ନାହିଁ । ଯଦିଓ ପୋଲିସ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି, ତଥାପି ପୋଲିସ କହିଛି ଯେ ବାଳକ ଏହି ଘଟଣା ଏକୁଟିଆ ଘଟାଇଛି ନା ଏଥିରେ ଅନ୍ୟ କେହି ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।