Sunstar TV
କୋଲକାତା : ଲୋକସଭା ନିର୍ବାଚନ ମଧ୍ୟରେ ଏକ ବଡ଼ ରାୟ ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ୨୦୧୧ରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ସାର୍ଟିଫିକେଟ୍କୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଚାକିରି ଆବେଦନ ଗୁଡ଼ିକରେ ମଧ୍ୟ ଓବିସି ସାର୍ଟିଫିକେଟ ଗ୍ରହଣ କରାଯିବ ନାହିଁ।
ନିଷ୍ପତ୍ତି ଅନୁଯାୟୀ, ୨୦୧୧ରୁ ଜାରି କରାଯାଇଥିବା ଅନ୍ୟ ସମସ୍ତ ପଛୁଆ ଶ୍ରେଣୀ (ଓବିସି) ପ୍ରମାଣପତ୍ର ବାତିଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ହାଇକୋର୍ଟ ଜଷ୍ଟିସ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରାଜଶେଖର ମନ୍ଥାଙ୍କ ଡିଭିଜନ ବେଞ୍ଚ ବୁଧବାର ଏକ ଆବେଦନ ଶୁଣାଣି ବେଳେ ଏହି ନିଷ୍ପତ୍ତି ଦେଇଛନ୍ତି। ଆବେଦନରେ ଓବିସି ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା। ଏହି ମାମଲାରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୧୯୯୩ ଅଧିନିୟମ ଅନୁଯାୟୀ ଗଠିତ ପଶ୍ଚିମବଙ୍ଗ ପଛୁଆ ଆୟୋଗ ଦ୍ୱାରା ଧାର୍ୟ୍ୟ କରାଯାଇଥିବା ପ୍ରକ୍ରିୟା ଅନୁଯାୟୀ ଓବିସି ସାର୍ଟିଫିକେଟ ପ୍ରସ୍ତୁତ କରାଯିବା ଉଚିତ।