SunstarTV
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ସୂଚନା ମିଳିଛି।ଉତ୍ତର ତାମିଲନାଡୁ- ଦକ୍ଷିଣ ଆନ୍ଦ୍ର ଉପକୂଳରେ ଏହି କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ତାରିଖ ସକାଳେ ଏହା ଡିପ୍ରେସନ୍ ବା ଅବପାତର ରୂପ ନେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଉପକୂଳ ଓଡ଼ିଶା ସମେତ ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ୨୩ ଏବଂ ୨୪ ସମୁଦ୍ର ଅଶାନ୍ତ ରହିବ।୨୪ରେ ଏହା ଅବପାତର ରୂପ ନେବା ନେଇ ସମ୍ଭାବନା କରାଯାଉଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।