Sunstar Tv
Road Accident: ଛତିଶଗଡ଼ର କବୀରଧାମ ( ପୂର୍ବନାମ କଓ୍ବର୍ଦ୍ଧା) ଜିଲ୍ଲାର କୁକଦୁର ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି।
ବାହାପାଣି ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ପିକ୍ଅପ୍ ଗାଡ଼ି ଏକ ଗଭୀର ଖାଲକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
କବୀରଧାମ ଆରକ୍ଷୀ ଅଧୀକ୍ଷକ ଡ. ଅଭିଷେକ ପଲ୍ଲବ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଆହତମାନଙ୍କୁ ପୁଲିସ ଗାଡ଼ିରେ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ସୂଚନା ଅନୁଯାୟୀ, ପ୍ରାୟ ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବାର ପରେ ଏହି ପିକ୍ଅପ୍ ଭ୍ୟାନ୍ରେ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକ୍ଅପ୍ ଭ୍ୟାନ୍ଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା।
ଘଟଣାସ୍ଥଳରେ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କେତେ ଜଣଙ୍କ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଆହତମାନଙ୍କୁ କବୀରଧାମ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବୈଗା ସଂପ୍ରଦାୟର ଲୋକେ ସାଧାରଣତଃ ବିଡ଼ି ତିଆରି ବ୍ୟବସାୟରେ ସଂପୃକ୍ତ ରହିଥାଆନ୍ତି। ସେଥିପାଇଁ ସେମାନେ ଜଙ୍ଗଲରୁ କେନ୍ଦୁ ପତ୍ର ସଂଗ୍ରହ କରନ୍ତି।
ରାଜ୍ୟ ସରକାର ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।