SunstarTV
ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ହଠାତ୍ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତର ଅନ୍ୟତମ ଫୁଟବଲର୍ ସୁନୀଲ ଛେତ୍ରୀ ୧୬ ମଇ ଗୁରୁବାର ସକାଳେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପ୍ରକାଶ କରି ଅବସର ଘୋଷଣା ବିଷୟରେ ସୂଚନା ଦେଇଛନ୍ତି । ସୁନୀଲ ଛେତ୍ରୀ ବର୍ତ୍ତମାନ ଜୁନ୍ ୬ ରେ କୁଏତ ବିପକ୍ଷରେ ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ। ଏହା ତାଙ୍କର ଶେଷ ମ୍ୟାଚ ହେବ।
I’d like to say something… pic.twitter.com/xwXbDi95WV
— Sunil Chhetri (@chetrisunil11) May 16, 2024
ଭାରତୀୟ ଦଳର ଅଧିନାୟକ ଥିବା ସୁନୀଲ ଅବସର ଗ୍ରହଣ ସଂକ୍ରାନ୍ତରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ୪୦ ବର୍ଷୀୟ ଏହି ଖେଳାଳି ୨୦୦୫ ଜୁନ ୧୨ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହା ସହିତ ଭାରତ ପାଇଁ ସେ ତାଙ୍କର ପ୍ରଥମ ଗୋଲ୍ ଏହି ମ୍ୟାଚରେ ସ୍କୋର କରିଥିଲେ। ବର୍ତ୍ତମାନର ଖେଳାଳିମାନଙ୍କ ମଧ୍ୟରେ ସୁନୀଲ ସର୍ବାଧିକ ଗୋଲ ସ୍କୋରରଙ୍କ ଭିତରେ ୩ୟ ସ୍ଥାନରେ ରହିଛନ୍ତି। ପର୍ତ୍ତୁଗାଲର କିମ୍ବନ୍ଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ଥିବାବେଳେ ଆର୍ଜେଣ୍ଟିନାର କିମ୍ବନ୍ଦନ୍ତୀ ଖେଳାଳି ଲିଓନେଲ୍ ମେସି ୨ୟ ସ୍ଥାନରେ ରହିଛନ୍ତି।
ସୂଚନାଅନୁସାରେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ୧୯ ବର୍ଷ କ୍ୟାରିୟରରେ ଏପର୍ଯ୍ୟନ୍ତ ଭାରତ ପାଇଁ ୧୫୦ଟି ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ୯୪ଗୋଲ ସ୍କୋର କରିଛନ୍ତି। ତେବେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବା ପରେ ମଧ୍ୟ ସୁନୀଲ ଛେତ୍ରୀ ତାଙ୍କ କ୍ଲବ ବେଙ୍ଗାଲୁରୁ ଏଫସି ପାଇଁ ଖେଳିବା ଜାରି ରଖିବେ। ଖେଳ ପ୍ରତିତାଙ୍କର ଅବଦାନ ପାଇଁ ୨୦୧୧ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୯ରେ ପଦ୍ମଶ୍ରୀ ପୁରସ୍କାରରେ ସୁନୀଲ ଛେତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ସୁନୀଲ ଛେତ୍ରୀ ତାଙ୍କ କ୍ୟାରିୟରରେ ୬ ଥର AIFF ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି।