SUNSTARTV
ସନଷ୍ଟାରଟିଭି ବ୍ୟୁରୋ:ନିର୍ବାଚନର ଶେଷ ସମୟରେ ବଡ ବଡ ନେତାଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ଅଧିକ ସକ୍ରିୟ କରୁଛି । ଫଳରେ ସମସ୍ତଙ୍କ ଫୋକସରେ ରହିଛି ଓଡିଶା ପଲିଟିକ୍ସ । ପୂର୍ବରୁ ନରେନ୍ଦ୍ର ମୋଦି ଦୁଇ ଦୁଇ ଥର ଓଡିଶା ଗସ୍ତ କରିଥିବା ବେଳେ ଆଜି ଓଡିଶା ଆସିଛନ୍ତି କଂଗ୍ରେସର ହେବି ୱେଟ ନେତା ରାହୁଲ ଗାନ୍ଧି । ସେ ବଲାଙ୍ଗୀର କୋଶଳ କଳାମଣ୍ଡ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଜନସମାବେଶକୁ ସମ୍ବୋଧୀତ କରି କହିଛନ୍ତି ଦେଶରେ ଯେଉଁ ଲଢେଇ ଚାଲିଛି ତାହା ୨ଟି ବିଚାରଧାରାକୁ ଆଧାର କରି ଚାଲିଛି । କିନ୍ତୁ ବର୍ତ୍ତମାନ ଗୋଟିଏ ରାଜନୈତିକ ଦଳ କହୁଛି ସେ ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ବଦଳାଇ ଦେବ ।ହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ । କିନ୍ତୁ ଦୁନିଆର କୌଣସି ଶକ୍ତି ନାହିଁ ଯେ ଏହି ସମ୍ବିଧାନରେ ହାତ ମାରିଦେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ ।ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ସେହିପରି ଗଣମାଧ୍ୟମକୁ ମଧ୍ୟ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ । ଚାଷୀ ଆତ୍ମହତ୍ୟା କଲେ ଏହାକୁ ଗଣମାଧ୍ୟମ ଦେଖାଉନାହିଁ କିନ୍ତୁ ଅମ୍ବାନୀ ପରିବାରର ବାହାଘର ନଚେତ ମୋଦୀଙ୍କ କାର୍ଯ୍ୟକ୍ରମ ଦେଖାଉଛନ୍ତି । ଗଣମାଧ୍ୟମରେ ପଛୁଆବର୍ଗର ବ୍ୟକ୍ତି କେହି ନାହାନ୍ତି । ଯେଉଁଥିପାଇଁ ୯୦% ଭାରତୀୟଙ୍କ ସ୍ୱର ଗଣମାଧ୍ୟରେ ଦେଖାଯାଉନାହିଁ ।ଜିଏସଟିରେ ସାଧାରଣ ଲୋକ ଟଙ୍କା ଦେଉଛନ୍ତି କିନ୍ତୁ ଉଦ୍ୟୋଗପତିଙ୍କୁ ଋଣ ଛାଡ କରାଯାଉଛି । କିନ୍ତୁ କଂଗ୍ରେସ ସମସ୍ତଙ୍କୁ ନ୍ୟାୟ ଦେବାକୁ ନିଷ୍ପତ୍ତି ନେଇଛି ।
ବିଜେପି ୨୨ ଜଣଙ୍କୁ କୋଟିପତି କରିଛି କିନ୍ତୁ କଂଗ୍ରେସ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଛୁ । ୪ ଜୁନ୍ ୨୦୨୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାର ଠିକ୍ ପରେ ଭାରତର ସବୁ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁଥିରେ ସବୁ ବର୍ଗର ଗରିବ ପରିବାରର ଲୋକ ରହିବେ । ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୮୫୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ସରକାର ଗଢିବାର ଗୋଟିଏ ମାସ ମଧ୍ୟରେ ଅଥାର୍ତ ୪ ଜୁଲାଇରେ ୮୫୦୦ ଟଙ୍କା ଆସିବ । ବାର୍ଷିକ ୧ ଲକ୍ଷ ଟଙ୍କା ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଯିବ ।