SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:୨୦୨୪ ମହାଲଢ଼େଇର ମେ’ ୨୦ ତାରିଖ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପଞ୍ଚମ ପର୍ଯ୍ୟାୟରେ ମୋଟ ୬୯୫ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୨୭ ଜଣ କୋଟିପତି ଥିବା ବେଳେ ୧୫୯ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । କୋଟିପତିଙ୍କ ପ୍ରାର୍ଥୀଙ୍କର ହାରାହାରି ସମ୍ପତ୍ତି ୩.୫୬ କୋଟି ଟଙ୍କା ହେବ ।ସେହିପରି ପଞ୍ଚମ ପ୍ରର୍ଯ୍ୟାୟରେ ମାତ୍ର ୧୨% ମହିଳା ପ୍ରାର୍ଥୀ ରହିଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍ ରିପୋର୍ଟ ମୁତାବକ, ୧୨୨ ପ୍ରାର୍ଥୀ ନିଜ ନାମରେ ଗମ୍ଭୀର ଅପରାଧିକ ମାମଲା ଥିବା ସତ୍ୟପାଠରେ ପ୍ରାର୍ଥୀ ଉଲ୍ଲେଖ କରିଛନ୍ତି । ୪ ଜଣଙ୍କ ନାଁରେ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି । ସେହିପରି ୨୮ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ, ୨୯ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ଅପରାଧିକ ମାମଲା ରହିଛି । ଜଣେ ପ୍ରାର୍ଥୀଙ୍କ ବିରୋଧରେ ଦୁଷ୍କର୍ମ ଭଳି ମାମଲା ରହିଛି । ସେହିଭଳି ଘୃଣା ଭାଷଣ ଦେବାକୁ ନେଇ ମୋଟ ୧୦ ପ୍ରାର୍ଥୀଙ୍କ ନାମରେ ମାମଲା ରହିଛି ।
ଏଡିଆର ରିପୋର୍ଟ ଦର୍ଶାଇଛି, ଯେ ପଞ୍ଚମ ପର୍ଯ୍ୟାୟରେ ସମାଜବାଦୀ ପାର୍ଟିର ମୋଟ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେହିଭଳି ବିଜେପିର ୪୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୯, କଂଗ୍ରେସର ୧୮ ଜଣଙ୍କ ମଧ୍ୟରୁ ୮, ଟିଏମ୍ସିର ୭ ପ୍ରାର୍ଥୀଙ୍କ ମଧ୍ୟରୁ ୩, ଶିବସେନା ଉଦ୍ଧବ ଗୋଷ୍ଠୀର ୮ରୁ ୩, ଶିବସେନା ସିନ୍ଦେ ଗୋଷ୍ଠୀର ୬ରୁ ୩, ଆର୍ଜେଡିର ୫ରୁ ଜଣେ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି । ବିଜେପିର ସର୍ବାଧିକ ୩୬ ପ୍ରାର୍ଥୀ କୋଟିପତି ଥିବା ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ସବୁଠୁ କୋଟିପତି ପ୍ରାର୍ଥୀ ହେଉଛନ୍ତି ଅନୁରାଗ ଶର୍ମା । ଉତ୍ତର ପ୍ରଦେଶର ଝାନ୍ସିରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ଅନୁରାଗ ନିଜକୁ ୨୧୨ କୋଟି ଟଙ୍କା ସମ୍ପତ୍ତିର ଅଧିକାର ଦର୍ଶାଇଥିଲେ । ଦ୍ୱିତୀୟ ସ୍ଥାନରେ ଥିବା ସ୍ୱାଧୀନ ପ୍ରାର୍ଥୀ ଭଗବାନ ସାମ୍ଭରେଙ୍କ ସମ୍ପତ୍ତି ମୂଲ୍ୟ ୧୧୬ କୋଟି ଟଙ୍କା । ସେ ମହାରାଷ୍ଟ୍ରର ଭିୱାଣ୍ଡିରୁ ଲଢ଼ୁଛନ୍ତି । ତୃତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ପୀୟୂଷ ଗୋୟଲ ରହିଛନ୍ତି । ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର ଆସନରୁ ଲଢ଼ୁଥିବା ଗୋୟଲଙ୍କ ସମ୍ପତ୍ତିର ମୂଲ୍ୟ ୧୧୦ କୋଟି ଟଙ୍କା । ଜଣେ ପ୍ରାର୍ଥୀ ନିଜ ସମ୍ପତ୍ତି ମୂଲ୍ୟ ଶୂନ ଦର୍ଶାଇଛନ୍ତି । ୩ ଜଣ ପ୍ରାର୍ଥୀ ନିଜ ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୬୭ ଟଙ୍କା, ୭୦୦ ଟଙ୍କା ଓ ୫,୪୨୭ ଟଙ୍କା ଦର୍ଶାଇଛନ୍ତି ।
ପଞ୍ଚମ ପର୍ଯ୍ୟାୟରେ ଲଢ଼ୁଥିବା ମୋଟ ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୪୨%ଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ପର୍ଯ୍ୟନ୍ତ ରହିଛି । ୨୦୭ ଜଣଙ୍କ ବୟସ ୨୫ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୩୮୪ ଜଣଙ୍କ ବୟସ ୪୧ରୁ ୬୦ ବର୍ଷ । ୧୦୩ ପ୍ରାର୍ଥୀଙ୍କ ବୟସ ୬୧ରୁ ୮୦ ବର୍ଷ ହୋଇଥିବା ଜଣଙ୍କ ବୟସ ୮୨ ବର୍ଷ । ୬୯୫ ଜଣଙ୍କ ମଧ୍ୟରୁ ୮୨ ଜଣ ବା ୧୨% ହେଉଛନ୍ତି ମହିଳା । ଉଲ୍ଲେଖଯୋଗ୍ୟ, ମେ ୨୦ରେ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୋଟ ୪୯ ଆସନରେ ମତଦାନ ହେବ ।