SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଗଣତନ୍ତ୍ରର ମହା ପର୍ବ ନିର୍ବାଚନ । ଯେଉଁଠି ସାଧାରଣ ଜନତା ସ୍ଥିର କରିବେ ନେତାଙ୍କ ଭାଗ୍ୟ । ୨୪ ସିଂହାସନ କିଏ କରିବ ଅକ୍ତିଆର । ଏନେଇ ଓଡିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ । ଯେଉଁଥିରେ ମୋଟ ୬୨,୮୭,୭୨୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ଇଭିଏମରେ ସିଲ ହୋଇଛି ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ କିଛି ସ୍ଥାନକୁ ଛାଡିଦେଲେ ଶାନ୍ତି ଶୃଙ୍ଖଳରେ ସରିଛି ମତଦାନ । ୪ଟି ଲୋକ ସଭା ଏବଂ ୨୮ ବିଧାନସଭା ଆସନ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି ପ୍ରାର୍ଥୀ । ତେବେ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ ପ୍ରଥମ ଦିନରେ ହିଁ ୭୪ ପ୍ରତିଶତ ଲୋକ ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି । ଏତିସହିତ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରିଛନ୍ତି । ଚଳିତ ଥର ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଉତ୍କଣ୍ଠା ଦେଖିବାକୁ ମିଳିଛି । ଫଳରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏ ଭୋଟ ଗ୍ରହଣ ହୋଇଛି । ଫଳରେ ଚୁଡାନ୍ତ ମତହାର ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଲୋକସଭା ଆସନ ପାଇଁ ନବରଙ୍ଗପୁରରେ ସର୍ବାଧିକ ୮୦.୨୨ ପ୍ରତିଶତ ଭୋଟ ପଡିଛି । ସେହିପରି ଚର୍ଚ୍ଚାରେ ଥିବା ବ୍ରହ୍ମପୁର ଲୋକସଭା ଆସନ ପାଇଁ ସର୍ବନିମ୍ନ ୬୪.୩୪ ପ୍ରତିଶତ ମତଦାନ ହୋଇଛି । ଏହା ବ୍ୟତିତ କୋଟିଆରେ ସର୍ବାଧିକ ୭୬% ଲୋକ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେମାନେ ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ଦେଇଥିବା ଜଣାପଡିଛି ।
ପ୍ରଥମ ପର୍ଯ୍ୟାୟ ଭୋଟରେ ୪ଟି ଲୋକସଭାରୁ କଳାହଣ୍ଡିରେ ୭୫.୭୧ ପ୍ରତିଶତ ଲୋକ ଭୋଟ ଦେଇ ତାଙ୍କ ଜନପ୍ରତିନିଧି ଚୟନ କରିଛନ୍ତି । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ମୋଟ ୭୬.୯୮ ପ୍ରତିଶତ ଜନତା ଗଣତନ୍ତ୍ରର ଏହି ବିଶାଳ ପର୍ବ ନିର୍ବାଚନରେ ନିଜକୁ ସାମିଲ କରିଛନ୍ତି । ସେଥିସହିତ ସେମାନେ ତାଙ୍କ ପାଇଁ ଏକ ଭଲ ନେତା ବାଛିବାର ସୁଯୋଗକୁ ହାତଛଡା କରି ନାହାଁନ୍ତି । ତେବେ ନିର୍ବାଚନର ଫଳାଫଳ ହିଁ କହିବ ୨୪ ସିଂହାସନ କିଏ ହାତେଇବ ।