SUNSTARTV
ଭୁବନେଶ୍ୱର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି । ଫଳରେ ତାଙ୍କ ଫୁସଫୁସ ଓ ପିଞ୍ଜରା ହାଡରେ ଶକ୍ତ ଆଘାତ ଲାଗିଥିବା ଜଣାପଡିଛି । ତେବେ ଶ୍ରୀଯୁକ୍ତ ପାଣିଗ୍ରାହୀଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତରଣ କରାଯାଇଛି । ଏନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ । ସେଠାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ଯେଉଁଥିପାଇଁ ଶିବଶଙ୍କରଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଯାହାର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଥିବା ଜଣାପଡିଛି । ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ତେବେ ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବଚସା ହୋଇଥିଲା ତାହା ଏଯାଏଁ ଜଣାପଡି ନଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି । ଅନ୍ୟପକ୍ଷେ ଏଭଳି ଏକ ଘଟଣାକୁ ରାଜନୈତିକ ମହଲରେ ଘୋର ନିନ୍ଦା କରାଯାଉଛି । ତେବେ ପ୍ରଦୀପଙ୍କ ସମର୍ଥକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।