ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଆଜି ବିଜେଡି ପାଳିବ ତାର ୨୪ତମ ପ୍ରତିଷ୍ଠା ଦିବସ ।୧୯୯୭ ମସିହାର ଆଜିର ଦିନରେ ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଗଠନ କରିଥିଲେ ବିଜୁ ଜନତା ଦଳ । ନିଜର କାର୍ଯ୍ୟ,ଉତ୍ତମ ସ୍ବଭାବ ପାଇଁ ଓଡିଶାରେ ୫ ଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନବୀନ ପଟ୍ଟନାୟକ । ନିଜର ଉଚ୍ଚ ବିଚାରଧାରା ପାଇଁ ଜାତୀୟ ସ୍ତରରେ ମଧ୍ୟ ଖୁବ ସମ୍ମାନିତ ହୋଇଛନ୍ତି ନବୀନ ପଟ୍ଟନାୟକ ।
ତେବେ ପ୍ରତିଷ୍ଠା ଦିବସ ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଦଳରେ ଯୋଗ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜଧାନୀରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ନେତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ ଦଳର ସଭାପତି । ରାଜ୍ୟରେ ସମସ୍ତ ନିର୍ବାଚନୀ ମଣ୍ଡଳୀ ଓ ପୌରାଞ୍ଚଳ ସ୍ତରରେ ମଧ୍ୟ ପାଳନ ହେବ ଦଳର ପ୍ରତିଷ୍ଠା ଦିବସ । ଏନେଇ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି ।
ତେବେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ନିଜର ଦାୟିତ୍ଵ ବଣ୍ଟନ କରାଯିବ । ଏହାସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ସଭ୍ୟ ସଂଗ୍ରହଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ମନ୍ତ୍ରୀଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଜେଡି କର୍ମୀ ସାମିଲ ହେବା ନେଇ ସୂଚନା ମିଳିଛି।