SunstarTV
ଜେଲ୍ରେ ଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଝ୍ଟକା। ଜାମିନ ଆବେଦନ ନେଇ ଆଜି ବି ଶୁଣାଣି କଲେନାହିଁ ସୁପ୍ରିମ୍କୋର୍ଟ। ଆଗାମୀ ତାରିଖରେ ଏହି ମାମଲାର ଶୁଣାଣି କରିବେ ଅଦାଲତ। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳେ, ତେବେ ତାଙ୍କୁ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ।
ଅନ୍ୟପକ୍ଷରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ ୨୦ ତରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରରେ ଜଷ୍ଟିସ୍ ସଂଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ମାର୍ଚ ୨୧ ତାରିଖରେ ହୋଇଥିବା ଆବେଦନର ଶୁଣାଣି କରି ଏହି ସୂଚନା ଦେଇଛନ୍ତି।
ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସଭି ରାଜୁ ଯୁକ୍ତି ଉପସ୍ଥାପନ କରିଥିଲେ। ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହାର ଜବାବରେ ଜଷ୍ଟିସ୍ ଖାନ୍ନା ପ୍ରଶ୍ନ କରିଥିଲେ ଯେ ଅପରାଧ ଅର୍ଥାତ୍ ଲାଞ୍ଚ ବାବଦରେ ୧୦୦ କୋଟି ଟଙ୍କା ଆଦାୟ ହୋଇଛି କି? ୨-୩ ବର୍ଷରେ ଏହା କିପରି ୧୧୦୦ କୋଟି ଟଙ୍କାରେ ପରିଣତ ହେଲା? ଏହା ଅତି ଆଶ୍ଚର୍ଯ୍ୟଜନକ ତଥ୍ୟ ବୋଲି ସେ କହିଛନ୍ତି।