ସନ୍ଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ଆସନ୍ତା ଡିସେମ୍ବର ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବାକୁ ଯାଉଛି । ଦୀର୍ଘ ୯ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ହେଲେ ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି।
ସୂଚନା ମୁତାବକ, ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ । ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଅନ୍ୟ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।