SUNSTARTV
ଭୁବନେଶ୍ୱର: ତାତିରୁ ନାହିଁ ନିସ୍ତାର। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣାରେ ୩୭.୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟଲାଗଡ ଓ ବାଲେଶ୍ଵରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡା ଓ କେନ୍ଦୁଝରରେ ୩୫.୪, କଟକରେ ୩୫ ଡିଗ୍ରୀ, ସମ୍ବଲପୁର , ମାଲକାନଗିରି ଓ ବୌଦ୍ଧରେ ୩୫ , ଭୁବନେଶ୍ଵରଓ ସୋନପୁରରେ ୩୪.୮, ରାଉରକେଲାରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏବଂ ଆଉ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ପୂର୍ବ ପରି ବଳବତ୍ତର ରହିବ। କାଳବୈଶାଖୀ ବର୍ଷା ପ୍ରଭାବରେ ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆହୁରି ଦୁଇରୁ ତିନି ଦିନ ଯାଏ ରହିବ ହିଟ୍ ଓ୍ଵେଭର ପ୍ରଭାବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରି ଟପିବା ଆଶଙ୍କା ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ଵିନ ସିଟି ସହ ବୋୖଦ୍ଧ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାକୁ ଆଲର୍ଟ କରାଯାଇଛି।
ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ହ୍ରାସ ପାଇବା ସମ୍ଭାବନା ରହିଥିବା ବେଳେ ୬,୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଫଳରେ ତାତିରୁ ତ୍ରାହି ମିଳିପାରେ।