SunstarTV
ତାତିରୁ ମିଳୁ ନାହିଁ ନିସ୍ତାର। ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୪୧ ଡିଗ୍ରୀ ଉପରେ ରହିଛି୨ ସହରର ତାପମାତ୍ରା। ୪୧.୪ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡା ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-
ଆଗାମୀ ୪ ଦିନ ଆହୁରି ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହାକି ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ। ତେଣୁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୧୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ(ହିଟ୍ୱେଭ୍)ରୁ ଭୀଷଣ ଗ୍ରୀଷ୍ମପ୍ରବାହ(ସିଭିଅର ହିଟ୍ୱେଭ୍) ସ୍ଥିତି ଲାଗିରହିବାକୁ ଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି।
ଓଡ଼ିଶାରେ ତାପମାତ୍ର :
ଝାରସୁଗୁଡା: ୪୧.୪°C
ଭୁବନେଶ୍ୱର: ୪୧.୨°C
କେନ୍ଦୁଝର: ୪୦.୬°C
ବାଲେଶ୍ୱର: ୪୦.୧°C
ସମ୍ବଲପୁର: ୪୦°C
ଚାନ୍ଦବାଲି: ୩୯.୬°C
ହୀରାକୁଦ: ୩୯°C
ରାଉରକେଲା: ୩୮.୬°C
ଗୋପାଳପୁର: ୩୪.୪°C
ପୁରୀ: ୩୪.୪°C
ପାରାଦୀପ: ୩୩.୫°C
ସୂଚନା ମୁତାବକ ଏପ୍ରିଲ ୨୯ ଓ ୩୦ ତାରିଖରେ ଝାରସୁଗୁଡ଼ା, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାକୁ ରେଡ୍ ଆଲର୍ଟ ସହ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।