SunstarTV
ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ସକାଳେ ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଛି। ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ୬.୩ ତୀବ୍ରତା ବିଶିଷ୍ଟ ବୋଲି ଜଣାପଡ଼ିଛି।
କିନ୍ତୁ ଆପଣ ଜାଣନ୍ତି କି ଭୂମିକମ୍ପ କାହିଁକି ହୁଏ ଆଉ କେତେ ପରିମାଣ ହେଲେ ଆମକୁ ଏହାର ଉଗ୍ରରୂପ ଦେଖିବାକୁ ପଡିଥାଏ ଆସନ୍ତୁ ଜାଣିବା…
ଦୁନିଆରେ ଯେତେସବୁ ପ୍ରାକୃତିକ ବିପର୍ଯ୍ୟୟ ରହିଛି ସେଗୁଡ଼ିକ ମଧ୍ୟରୁ ସବୁଠୁ ଭୟଙ୍କର ହେଉଛି ଭୂମିକମ୍ପ। ଭୂକମ୍ପର ଯଥେଷ୍ଟ ପୂର୍ବରୁ ପୂର୍ବାନୁମାନ କରିବା ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଏହାର ମୁକାବିଲା କରିବା କଷ୍ଟକର। କୌଣସି ଏକ ଅଞ୍ଚଳରେ ଭୂକମ୍ପ ହେଲେ ତାହାର ତୀବ୍ରତା କେତେ ଜାଣିବା ଲାଗି ରିକ୍ଟର ସ୍କେଲର ବ୍ୟବହାର କରାଯାଏ।
କାହିଁକି ହୁଏ ଭୂମିକମ୍ପ : ମୁଖ୍ୟତଃ ପୃଥିବୀର ଉପରିଭାଗ ୭ଟି ଟେକ୍ଟାନିକ୍ ପ୍ଲେଟ ଦ୍ୱାରା ଗଠିତ । ଏହି ପ୍ଲେଟ ଗୁଡ଼ିକ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ ଏହି ପ୍ଲେଟ ଗୁଡ଼ିକର ସଂଯୋଗସ୍ଥଳରେ ଧକ୍କା ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୁତ ହୁଏ । ଯେତେବେଳ ଗୋଟିଏ ପ୍ଲେଟ ଅନ୍ୟ ଏକ ପ୍ଲେଟର କ୍ଷେତ୍ର ଭିତରକୁ ପ୍ରବେଶ କରିବାକୁ ଲାଗେ ଏହି ଘର୍ଷଣ ଯୋଗୁଁ ପୃଥିବୀର ଉପରିଭାଗ ଥରିବାକୁ ଲାଗେ, ବେଳେବେଳେ ଭୂପୃଷ୍ଠ ଫାଟି ଯାଏ ।
ତୀବ୍ରତା କଣ କୁହେ :
୦-୧.୯ ତୀବ୍ରତାର ଭୂକମ୍ପ ଆସିଲେ କେବଳ ସେସିମୋଗ୍ରାଫରୁ ହିଁ ଜଣାପଡ଼ିଥାଏ। ସାଧାରଣରେ ଏହାକୁ ଅନୁଭବ କରିହୁଏ ନାହିଁ।
୨-୨.୯ ତୀବ୍ରତାର ଭୂକମ୍ପ ହେଲେ ହାଲ୍କା କମ୍ପନ ସୃଷ୍ଟି ହୁଏ।
୩-୩.୯ ତୀବ୍ରତାର ଭୂକମ୍ପ ଆସିଲେ କୌଣସି ଟ୍ରକ ଆପଣଙ୍କ ନିକଟ ଦେଇ ଯିବା ଭଳି ଅନୁଭୂତ ହୁଏ।
୪-୪.୯ ତୀବ୍ରତାର ଭୂକମ୍ପ ଦ୍ବାରା ଘରର ଝରକା ଭାଙ୍ଗିଯାଇପାରେ। କାନ୍ଥରେ ଟଙ୍ଗାଯାଇଥିବା ଫ୍ରେମ ଖସିଯାଇପାରେ।
୫-୫.୯ ତୀବ୍ରତାର ଭୂକମ୍ପ ଆସିଲେ ଘରର ଆସବାବପତ୍ର ଦୋହଲିଥାଏ।
୬-୬.୯ ତୀବ୍ରତାର ଭୂକମ୍ପ ଯୋଗୁ ଅଟ୍ଟାଳିକାର ଆଧାରଶିଳା ବା ଫାଉଣ୍ଡେଶନରେ ଫାଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଦ୍ବାରା ଘରର ଉପର ମହଲା କ୍ଷତିଗ୍ରସ୍ତ ହୋଇପାରେ।
୭-୭.୯ ତୀବ୍ରତାର ଭୂକମ୍ପ ହେଲେ କୋଠା ଭୁଶୁଡ଼ି ପଡ଼ିଥାଏ ଏବଂ ମାଟି ତଳେ ଯାଇଥିବା ପାଇପ ଫାଟିଯାଇଥାଏ।
୮-୮.୯ ତୀବ୍ରତାର ଭୂକମ୍ପ ହେଲେ ଅଟ୍ଟାଳିକା ସହିତ ବଡ଼ ବଡ଼ ପୋଲ ଭୁଶୁଡ଼ିପଡ଼ିବା ସମ୍ଭାବନା ରହିଥାଏ।
୯ ଏବଂ ଏହାଠାରୁ ଅଧିକ ତୀବ୍ରତାର ଭୂକମ୍ପ ଆସିଲେ ଭୟଙ୍କର ରୁପ ଦେଖିବାକୁ ମିଳେ । କେହି ଯଦି ଖୋଲା ପଡ଼ିଆରେ ଛିଡ଼ା ହୋଇଥିଲେ, ତେବେ ତାଙ୍କୁ ପୃଥିବୀ ଘୂରି ବୁଲୁଥିବା ଦେଖିବାକୁ ମିଳିବ। ପାଖରେ ସମୁଦ୍ର ଥିଲେ ସୁନାମୀ ସୃଷ୍ଟି ହେବ। ସୂଚନାଯୋଗ୍ୟ ଯେ, ରିକ୍ଟର ସ୍କେଲର ପ୍ରତ୍ୟେକ ସ୍କେଲ ପୂର୍ବ ସ୍କେଲ ତୁଳନାରେ ୧୦ ଗୁଣ ଅଧିକ ଶକ୍ତିଶାଳୀ।