SUNSTARTV
ଭୁବନେଶ୍ୱର: ଦିନକୁ ଦିନି ରାଜ୍ୟବାସୀଙ୍କୁ କଲବଳ କରୁଛି ତାତି ଆଗକୁ ଆହୁରି ବଢିବା ତାପମାତ୍ରା । ଲମ୍ବି ଯାଇଛି ଗ୍ରୀଷ୍ମ ପ୍ରବାହ ଲଗାତାର ୮ ଦିନ ହୋଇଗଲାଣି ଜଳୁଛି ସାରା ଓଡ଼ିଶା । ପାଣିପାଗର ତାଜା ପୂର୍ବାନୁମାନ- କହୁଛି ଆଗକୁ ଆହୁରି ଭୟାନକ ହେବ ଏ ଗ୍ରୀଷ୍ମ ପ୍ରବାହ । ଦୁଇଦିନ ପରେ ତାତିରେ ଯେମିତି ବିସ୍ଫୋରଣ ହେବ। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁ ଯିବାର ସମ୍ଭାବନା ରହିଛି । ସେହିପରି ବଡ଼ ବର୍ଷାର ହେବାର ଆଶା ଦେଖାଯାଉନି ।ଫଳରେ ରାଜ୍ୟସାରା ସ୍ଥିତି ସାଂଘାତିକ ହୋଇପଡିଛି ।
ଏପ୍ରିଲ ମାସରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧୦ ଦିନକୁ ଲମ୍ବିଗଲାଣି । ୮ ଦିନ ହେଲା ଲଗାତାର ପ୍ରଚଣ୍ଡ ଅଗ୍ନି ବର୍ଷାରେ ସାରା ରାଜ୍ୟ ବେହୋସ୍ ହେଲାଣି । ଗତବର୍ଷ ଏପ୍ରିଲରେ ମାତ୍ର ୫ ଦିନ ଗ୍ରୀଷ୍ମ ପ୍ରବାହ ହୋଇଥିଲା । ସାଧାରଣତଃ ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୧ରୁ ୩ ଭିତରେ ରହିବା କଥା । କିନ୍ତୁ ଚଳିତ ବର୍ଷ ଏବେ ଯାଏଁ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୩ ଗୁଣାରୁ ଅଧିକ ବଢ଼ିଗଲାଣି।ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ମାଡ଼ିଆସୁଛି । ଆସନ୍ତା ୨୫ ଓ ୨୬ ତାରିଖରେ ରାଜ୍ୟରେ ଭୀଷଣ ତତଲା ପବନ ବୋହିବ । ୫/୭ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ । ରାତି ବି ତାତିବ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ ଦେଇଛି ।
ସୋମବାର କାଳବୈଶାଖୀ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି କମିଛି । କିନ୍ତୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ପ୍ରଚଣ୍ଡ ତାତିରେ ଆଉଟପାଉଟ ହୋଇଛି । ଚଳିତ ବର୍ଷ ୧୬ ଜିଲ୍ଲାରୁ ଅଂଶୁଘାତ ଘଟଣା ଆସିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଜି କିଛି ସ୍ଥାନରେ ତାତି କମିଛି । ମଙ୍ଗଳବାର ବି କମିବ । କିନ୍ତୁ ଆଗକୁ ଆହୁରି ବିପଜ୍ଜନକ ଗ୍ରୀଷ୍ମପ୍ରବାହ ବହିବ । ୨୫ରୁ ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହ ବଢ଼ିବ । ୨୬ରେ ଏହା ବର୍ତ୍ତମାନର ଗ୍ରୀଷ୍ମପ୍ରବାହକୁ ଟପିଯିବ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଅନ୍ୟ ସ୍ଥାନରେ ତାତି କମିବାର ସମ୍ଭାବନା ନାହିଁ । ୨୩ ତାରିଖରେ କୋରାପୁଟର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ୨୪ରେ କୋରାପୁଟ, ଗୁଡ଼ାରୀ, ଗଜପତି, ଗୁଣପୁର, ଫୁଲବାଣୀ, ବାଲିଗୁଡ଼ା ଭଳି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୬ ତାରିଖ ଯାଏ ରାଜ୍ୟର ଅନ୍ୟ ସ୍ଥାନରେ ବିଶେଷ ବର୍ଷା ନାହିଁ । ୪ ଦିନ ଭିତରେ ଉତ୍ତର ଓଡ଼ିଶାରେ ତାତି ଅଧିକ ରହିବ । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଉତ୍ତର ବାଲେଶ୍ୱରରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିତ ଡ. ଉମାଶଙ୍କର ଦାସ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ବି କେତେକ ସ୍ଥାନରେ ବର୍ଷା ହୋଇପାରେ । ୨୬ ତାରିଖଠାରୁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବହିବ ବୋଲି ସେ ସତର୍କ କରାଇଛନ୍ତି । ସୋମବାର ସନ୍ଧ୍ୟାରେ ଭଦ୍ରକରେ ଝିପିଝିପି ବର୍ଷା ହୋଇଛି । ଦାରିଙ୍ଗିବାଡ଼ିରେ ଜୋର୍ରେ ବର୍ଷା, ପବନ ହୋଇଥିବା ସୂଚନା ମିଳିଛି । ୨୩ରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ୨୪ରେ ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।