SUNSTARTV
ଭୁବନେଶ୍ୱର: ସୋମବାର ରାଜ୍ୟରେ ତାତି ସାମାନ୍ୟ କମିପାରେ । କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । କିଛି ସ୍ଥାନରେ ତାତି ୨ରୁ ୩ ଡିଗ୍ରୀ କମିଯିବ । ଅଳ୍ପ କିଛି ସ୍ଥାନରେ ତାତିରୁ ତ୍ରାହି ମିଳିପାରେ । କିନ୍ତୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳିବନି । ବିସ୍ତୀର୍ଣ୍ଣ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ପଡ଼ିବନି । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି ।ଦିନେ ଦୁଇ ଦିନ ପରେ ପୁଣି ବଢ଼ିବ ତାତି । ୨୫ ତାରିଖ ପର ଠାରୁ ସାଂଘାତିକ ଅଗ୍ନି ବର୍ଷା ଆରମ୍ଭ ହୋଇଯିବ । ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିପାରେ ବୋଲି ଆଶଙ୍କା ରହିଛି । ପାଣିପାଗ ବିଭାଗ କହୁଛି, ମଧ୍ୟ ଓ ଉପରଭାଗରେ ବାୟୁ ଚଳାଚଳ ଅନୁସାରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ତଥା ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସୋମବାରଠାରୁ ବାୟୁ ଚଳାଚଳ ସହିତ ଜଡ଼ିତ ନିମ୍ନ ଚାପରେଖା ପୂର୍ବ ଦିଗରେ ଅଗ୍ରସର ହେବ । ଏହା କାଳବୈଶାଖୀର ପ୍ରଭାବ ବଢ଼ାଇବ ଓ ବର୍ଷା ହେବ ।
ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ପୂରା ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ । ବର୍ଷା ଯୋଗୁ ତାତି କମିବ । ଗ୍ରୀଷ୍ମପ୍ରବାହରୁ ବି ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସ କହିଛନ୍ତି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସୋମବାର କୋରାପୁଟର ବିସ୍ତୀର୍ଣ୍ଣ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗଞ୍ଜାମର ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ରାୟଗଡ଼ା, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବନି ବୋଲି ସେ ପୂର୍ବାନୁମାନ କରିଛନ୍ତି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କହିଛନ୍ତି । ୨୫ରୁ ତାତି ଓ ଗ୍ରୀଷ୍ମପ୍ରବାହ ପୁଣି ଅସମ୍ଭାଳ ହେବ ।
ଗତ ୨୪ ଘଣ୍ଟାରେ କୋରାପୁଟ କୋଟପାଡ଼ରେ ୧୧୨ମିମି, ରାୟଗଡ଼ା କୋଲନାରାରେ ୨୪.୪, ରାୟଗଡ଼ାରେ ୨୦.୨ମିମି ବର୍ଷା ହୋଇଛି ।ବାରିପଦା ପୁଣି ରାଜ୍ୟର ଉତ୍ତପ୍ତ ସହର ଓ ଦେଶର ଦ୍ୱିତୀୟ ଉତ୍ତପ୍ତ ଅଞ୍ଚଳ ପାଲଟିଛି । ରବିବାର ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୬ଡିଗ୍ରୀ ରେକର୍ଡ ହୋଇଛି । ନୂଆପଡ଼ାରେ ୪୪, ତାଳଚେରରେ ୪୩.୮, ଝାରସୁଗୁଡ଼ା ଓ କେନ୍ଦୁଝରରେ ୪୩.୬, ଅନୁଗୁଳରେ ୪୩.୩, ବଲାଙ୍ଗୀରରେ ୪୩.୨, ସୁନ୍ଦରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରେକର୍ଡ ହୋଇଛି । ଆଜି ବି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳଗୁଳି ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡୁଡୁକାଠେଙ୍ଗା ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ପ୍ରଧାନଶିକ୍ଷକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଓ ଆଂଶିକ ମେଘୁଆ ପାଗ ଯୋଗୁ ଅନେକ ସ୍ଥାନରେ ତାପମାତ୍ରା କମିଛି । ବାରିପଦାରେ ଗତକାଲି ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ସାମାନ୍ୟ କମିଛି । ବୌଦ୍ଧରେ ଗତକାଲି ତୁଳନାରେ ୨ ଡିଗ୍ରୀ କମିଛି । ସମ୍ବଲପୁରରେ ବି କମିଛି । କିନ୍ତୁ ତାଳଚେର, କେନ୍ଦୁଝର ଓ ଭୁବନେଶ୍ୱରରେ ତାତି ବଢ଼ିଛି ।