SUNSTARTV
ନୂଆଦିଲ୍ଲୀ: ପାକିସ୍ତାନରେ ଅଜଣା ଶକ୍ତି ଦ୍ବାରା ଭାରତ ବିରୋଧୀ ଆତଙ୍କବାଦୀଙ୍କୁ ନିପାତ କରାଯିବା ଘଟଣା ଦିନକୁ ଦିନ ବଢି ଚାଲିଥିଲା ବେଳେ ଏହାକୁ ସହଜରେ ହଜମ କରିପାରୁନି। ବରଂ ଏଭଳି ଘଟଣାକୁ ନେଇ ପାକିସ୍ତାନ ସେନା ଏବଂ ଆଇଏସଆଇର ନିଦ ହଜିଯାଇଛି। କେବଳ ସେତିକି ନୁହେଁ, ଭାରତ ବିରୋଧୀ ଶକ୍ତିଙ୍କୁ ସେମାନଙ୍କ ଘରେ ପଶି ମରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଖୋଲାଖୋଲି ଭାବେ ମନ୍ତବ୍ୟ ଦେବା ପାକିସ୍ତାନ ପାଇଁ ନିଆଁରେ ଘିଅ ଢାଳିବା ଭଳି ହୋଇଛି।
ତେବେ ଏହି ଘଟଣା ପଛରେ ଭାରତର ପ୍ରଛଦ ହାତ ରହିଛି ଏବଂ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ପ୍ରରୋଚନାରେ ପାକିସ୍ତାନରେ ଏଭଳି ନରସଂହାର ଚାଲିଛି ବୋଲି ପାକିସ୍ତାନ ଅଭିଯୋଗ ଆଣି ଆମେରିକାର ଦ୍ବାରସ୍ଥ ହୋଇଥିଲା ବେଳେ ଆମେରିକା ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ଦେଇଛି। କେବଳ ପାକିସ୍ତାନ ନୁହେଁ, ଆମେରିକା ଏବଂ କାନାଡାରେ ମଧ୍ୟ ଭାରତ ଏଭଳି କାର୍ଯ୍ୟ ଚଳାଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି।
ଏହିକ୍ରମରେ ଆମେରିକାରେ ଖଲିସ୍ତାନୀ ସମର୍ଥକ ଗୁରୁପତୱନ୍ତ ପନ୍ନୁକୁ ଭାରତ ନିପାତ କରିବା ଉଦ୍ୟମ ଏହାର ଜ୍ବଳନ୍ତ ପ୍ରମାଣ ବୋଲି ପାକିସ୍ତାନ କହିବା ସହିତ ଆମେରିକା ଭାରତ ବିରୋଧରେ କାହିଁକି କଟକଣା ଜାରି କରୁନାହିଁ ବୋଲି ପ୍ରଶ୍ନ କରିଛି। କିନ୍ତୁ ଆମେରିକା ଏହି ପ୍ରଶ୍ନକୁ ସମ୍ପୂର୍ଣ୍ଣ ଏଡାଇ ଯିବା ସହିତ ଆମେରିକା ଯାହା ଉପରେ ଆର୍ଥିକ କଟକଣା ଜାରି କରେ ସେ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରେ ନାହିଁ ବୋଲି ଏହାର ବୈଦେଶିକ ବ୍ୟାପାର ବିଭାଗୀୟ ପ୍ରବକ୍ତା ମାଥ୍ୟୁ ମିଲର ସ୍ପଷ୍ଟ କରିଛନ୍ତି। ପାକିସ୍ତାନରେ ଅଜଣା ଲୋକଙ୍କ ଦ୍ବାରା ଆତଙ୍କବାଦୀଙ୍କୁ ହତ୍ୟା କରାଯାଉଥିବା ଘଟଣାରେ ଉଭୟ ଦେଶ ଆପୋଷ ଆଲୋଚନା କରି ସମାଧାନ କରିବା ଉଚିତ ବୋଲି ମିଲର କହିଛନ୍ତି।