SunstarTV
ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ। ଏହି ପଣା ପିଇବା ଦ୍ୱାରା ପେଟ ମଧ୍ୟ ଥଣ୍ଡା ରହିଥାଏ । ଠାକୁରଙ୍କ ପାଖରେ ଭୋଗ ହେବା ପରେ ସବୁଠାରେ ସବୁ ଘରେ ଲୋକ ପଣା ପିଇଥାନ୍ତି। ବେଲ ପଣା ଅତି ସ୍ୱାଦିଷ୍ଟ। ଏହା ପେଟ ପାଇ ମଧ୍ୟ ଭଲ। ତେବେ ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିରେ ଘରେ କିଭଳି ସ୍ୱାଦିଷ୍ଟ ବେଲ ପଣା ତିଆରି କରିବେ?
ଆବଶ୍ୟକ ସାମଗ୍ରୀ: ବେଲ,ଗୁଡ କିମ୍ବା ଚିନି, ଗୋଲ ମରିଚ, ଛେନା, ନଡ଼ିଆ କୋରା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଆବଶ୍ୟକ ଅନୁସାରେ ପାଣି ନିଅନ୍ତୁ। ତା’ ପରେ ବେଲକୁ ଫଟାଇ ତା’ଭିତରରେ ମଞ୍ଜିକୁ ଚାମଚ ସାହାଯ୍ୟରେ କାଢ଼ି ଦିଅନ୍ତୁ। ପରେ ବେଲକୁ ଏକ ଚାମଚରେ ବାହାର କରି ଏକ ପାତ୍ରରେ ରଖନ୍ତୁ। ତାକୁ ଭଲ ଭାବରେ ଚକଟି ସେଥିରେ ଥିବା ଖଦଡ଼ା ଅଂଶକୁ ବାହାର କରି ଦିଅନ୍ତୁ। ଏହାପରେ ବେଲ ରସକୁ ଅନ୍ୟ ପାତ୍ରରେ ଥିବା ପାଣିରେ ମିଶାଇ ଦିଅନ୍ତୁ।
ଏହାପରେ ଆପଣ ନଡ଼ିଆ କୋରା, ଜଅ ଛତୁଆ ଗୁଣ୍ଡ, ଛେନା, ମିଠା , ଦହି ଆବଶ୍ୟକ ଅନୁସାରେ ଏଥିରେ ମିଶାନ୍ତୁ। ପରେ ତାକୁ ହାତରେ ଗୋଳାଇ ଦିଅନ୍ତୁ। ପଣାରେ ଆପଣ ଚିନି ବା ଗୁଡ଼ ବ୍ୟବହାର କରିପାରିବେ। ଏହାପରେ ପ୍ରସ୍ତୁତ ହୋଇଗଲା ବେଲ ପଣା। ଏଥିରେ କିଛି ଖଣ୍ଡ ବରଫ ପକେଇ ରଖନ୍ତୁ ପେଟ ଥଣ୍ଡା କରିବ।