Sunstar TV
ଭୁବନେଶ୍ୱର : କିଛି ବର୍ଷ ମଧ୍ୟରେ ହୃଦଘାତର ଘଟଣା ବହୁତ ବୃଦ୍ଧି ପାଇଛି । ଖରାପ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟ ଯୋଗୁଁ ହୃଦରୋଗ ବୃଦ୍ଧି ପାଉଛି । କରୋନା ଭାଇରସ ବ୍ୟାପିବା ପରେ ମଧ୍ୟ ତାହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ରହିଛି । ହୃଦ୍ରୋଗର ପ୍ରତିରୋଧ ପାଇଁ ଡାକ୍ତର ମାନଙ୍କ ଦ୍ୱାରା ଅନେକ ଉପାୟ ଜଣାଇଦିଆଯାଉଛି । ବର୍ତ୍ତମାନ ସୂଚନା ରହିଛି ଯେ, ଜଣେ ବ୍ୟକ୍ତି ଦୈନିକ ୬ ହଜାରରୁ ୯ ହଜାର ଷ୍ଟେପ୍ ଚାଲିବା ଦ୍ବାରା ସେହି କ୍ଷେତ୍ରରେ ହୃଦରୋଗ (CVD) ହେବାର ଆଶଙ୍କା ଯଥେଷ୍ଟ କମି ଥାଏ । ଏହି କଥା ଜର୍ଣ୍ଣାନ ସର୍କୁଲାରରେ ପ୍ରକାଶିତ ଏକ ଅଧ୍ୟୟନରେ ପ୍ରକାଶ ପାଇଛି । ଉକ୍ତ ଅଧ୍ୟୟନ ପାଇଁ ଆମେରିକା ସହ ଅନ୍ୟ ୪୨ଟି ଦେଶର ୨୦,୦୦୦ରୁ ଅଧିକ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି, ଏଥିରେ ଜଡିତ ଲୋକଙ୍କ ହାରାହାରି ବୟସ ୬୩ ବର୍ଷ ଥିଲା, ଯେଉଁଥିରେ ପ୍ରାୟ ୫୨ ପ୍ରତିଶତ ମହିଳା ଅନ୍ତର୍ଭୁକ୍ତ ଥିଲେ।
ପ୍ରତ୍ୟେକ ଦିନ ନିହାତି ୨ ହଜାର ଷ୍ଟେପ୍ ଚାଲୁଥିବା ବ୍ୟକ୍ତିଙ୍କ ତୁଳନାରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ଯେଉଁମାନେ ଦୈନିକ ୬ ହଜାର ରୁ ୯ ହଜାର ଷ୍ଟେପ୍ ଚାଲୁଛନ୍ତି, ସେମାନଙ୍କୁ ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ୪୦ ରୁ ୫୦ ପ୍ରତିଶତ କମ୍ ଥାଏ । ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ମୁଖ୍ୟ ଲେଖକ ଡକ୍ଟର ଅମାଣ୍ଡା ପାଲୁଚ କହିଛନ୍ତି ଯେ ଚାଲିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା କମି ରହିଛି ବୋଲି ଜଣାପଡ଼ିଛି ।
ଦୈନିକ ଚାଲନ୍ତୁ ୯ ହଜାର ଷ୍ଟେପ୍ :
ଯଦି ଆପଣଙ୍କର ଶାରୀରିକ କାର୍ଯ୍ୟକଳାପକୁ ବଢ଼ାଇବା ପାଇଁ ସଚେତନ ପଦକ୍ଷେପ ନିଆଯାଏ ତେବେ ଦିନକୁ ୯ ହଜାର ଷ୍ଟେପ୍ ଚାଲିବା ଆଦୌ କଷ୍ଟସାଧ୍ୟ ନୁହେଁ । ଯେମିତିକି, ସିଡ଼ି ଅଧିକ ବ୍ୟବହାର କରିବା, ଯାନବାହାନ ଟିକିଏ ଦୂରରେ ପାର୍କିଂ କରିବା, ପାଖାପାଖି ସ୍ଥାନକୁ ଚାଲିକି ଯିବା ଦ୍ୱାରା ଆପଣ ସହଜରେ ଟାର୍ଗେଟ ହାସଲ କରିପାରିବେ।
ଦୈନିକ ଚାଲିବାରେ ରହିଛି ବହୁ ଲାଭ : ପ୍ରତିଦିନ ୬ ହଜାରରୁ ଅଧିକ ଷ୍ଟେପ୍ ଚାଲିବା ଦ୍ବାରା ମାଂସପେଶୀରେ ଇନସୁଲିନ୍ ପ୍ରତିରୋଧ କମିଯାଏ, ପ୍ରଦାହ କମିଯିବା ସହିତ ହୃଦୟକୁ ଲାଭ ମିଳିଥାଏ । ଖାଲି ସେତିକି ନୁହେଁ ବିପି ଏବଂ ଶରୀରର ଓଜନକୁ ମଧ୍ୟ ଏହି ପ୍ରକ୍ରିୟା ନିୟନ୍ତ୍ରଣରେ ରଖିଥାଏ । ଚାଲିବା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ଅବସାଦର ଆଶଙ୍କା କମ୍ ହୋଇପାରେ। ପ୍ରତି ମିନିଟରେ ପ୍ରାୟ ୧୦୦ ଷ୍ଟେପର ଦ୍ରୁତ ଗତି ବିଶେଷ ଉପଯୋଗୀ।