SUNSTARTV
ବର୍ଷର ପ୍ରତି ମାସ ପରି ଏପ୍ରିଲ ମଧ୍ୟ ଏକ ମାସ । କିନ୍ତୁ ସବୁ ମାସଠାରୁ ଟିକେ ଭିନ୍ନ ଆଉ ସ୍ୱତନ୍ତ୍ର ହେଉଛି ଏପ୍ରିଲ ମାସର ୧ ତାରିଖ । କାରଣ ଏହି ଦିନକୁ ଓଡିଶାବସିମାନେ ଉତ୍କଳ ଦିବସ ଭାବେ ପାଳନ କରୁଥିବା ବେଳେ ଅନ୍ୟ ଦେଶ ମାନଙ୍କରେ ଏପ୍ରିଲଫୁଲ ଡେ ବୋଲି ପାଳନ କରାଯାଏ । ପିଲାଠୁ ଆରମ୍ଭକରି ବୟସ୍କ ବ୍ୟକ୍ତି ସମସ୍ତେ ଏହି ଦିନ ଖୁବ ମଜାମସ୍ତି କରିଥାନ୍ତି । ଏଥିସହ ପରସ୍ପରକୁ ବୋକା ବନେଇବା ପାଇଁ କୌଣସି ସୁଯୋଗ ହାତଛଡା କରି ନଥାନ୍ତି । ତେବେ ଏହି ଏପ୍ରିଲ ଫୁଲକୁ ନେଇ ୧୯୬୪ ମସିହାରେ ଏକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା ଯାହାର ନା ଥିଲା ଏପ୍ରିଲ୍ ଫୁଲ’ । ସେହିପରି ଏହାକୁ ନେଇ ହିନ୍ଦୀରେ ଏକ ଗୀତ ରହିଛି । ତେବେ ଏହି ଏପ୍ରିଲଫୁଲ କୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ କଣ ଏହି ଏପ୍ରିଲ ଫୁଲ | ଏହା କେଉଁଠୁ ଆଉ କିପରି ଆରମ୍ଭ ହୋଇଥିଲା । କଣ ରହିଛି ଏହା ପଛର କାରଣ ଏପରି ଅନେକ କିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଏପ୍ରିଲଫୁଲ ପଛରେ କଣ ରହିଛି ଏହାର ଇତିହାସ ଏବଂ କାହିଁକି ଆମେ ଏପ୍ରିଲ୍ ଫୁଲ୍ ପାଳନ କରୁ ।
କେବେ ଆରମ୍ଭ ହେଲା ଏପ୍ରିଲ୍ ଫୁଲ୍ ?
ଯଦି ଏପ୍ରିଲ ଫୁଲ ଡେ ର ଇତିହାସ ବିଷୟରେ ତର୍ଜମା କରିବା ତାହାଲେ ଏହି ଦିବସ ୧୬ଶହ ଶତାବ୍ଦୀରେ ଫ୍ରାନ୍ସରେ ଆରମ୍ଭ ହୋଇଥିଲା । ଏପ୍ରିଲ ଫୁଲ ଡେ ର କାହାଣୀ ଅନୁଯାୟୀ, ଏପ୍ରିଲ୍ ୧ ରେ ଫ୍ରାନ୍ସରେ ନୂତନ ବର୍ଷ ପାଳନ କରାଯାଇଥିଲା, କିନ୍ତୁ ଏହା ପୂର୍ବରୁ ୧୫୮୨ ମସିହାରେ ଫ୍ରାନ୍ସ ରାଜା ଜାନୁଆରୀ ୧ ରେ ନୂତନ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଧିକାଂଶ ଲୋକ ଏହି ପରିବର୍ତ୍ତନକୁ ବୁଝିପାରିଲେ ନାହିଁ କିମ୍ବା ଗ୍ରହଣ କରିପାରିଲେ ନାହିଁ ଯାହାଫଳରେ ସେମାନେ ଏପ୍ରିଲ ୧ ରେ ନୂତନ ବର୍ଷ ପାଳନ କରିବାକୁ ଲାଗିଲେ । ଏହିପରି ଲୋକଙ୍କୁ ଏପ୍ରିଲ୍ ଫୁଲ୍ କୁହାଯାଉଥିଲା । ତେଣୁ ଏପ୍ରିଲ୍ ୧ ସାରା ବିଶ୍ୱରେ ହସ ଏବଂ ଥଟ୍ଟା ପାଇଁ ଏକ ଲୋକପ୍ରିୟ ଦିନ ହୋଇଗଲା ।
ଏପ୍ରିଲ୍ ଫୁଲ୍ ର କାହାଣୀ:
୧ ଏପ୍ରିଲରେ ଲୋକମାନେ କାହିଁକି ବୋକା ବନାଉଛନ୍ତି ଏହା ଏଯାବତ ସ୍ପଷ୍ଟ ହୋଇଥିବାବେଳେ ଏହି ଦିନ ପଛରେ ଆଉ ଏକ ରୋଚକ ଏବଂ ମଜାଳିଆ କାହାଣୀ ରହିଛି । କିଛି ଲୋକ ଏପ୍ରିଲ୍ ୧ କୁ ରୋମାନ୍ ପର୍ବ ‘ହିଲାରିଆ’ ସହିତ ଜଡିତ ବୋଲି ବିଶ୍ବାସ କରନ୍ତି । ତେବେ ହିଲାରିଆ ଶବ୍ଦର ଅର୍ଥ ହେଉଛି ଆନନ୍ଦଦାୟକ । ଏହି ପର୍ବରେ ଲୋକମାନେ ଥଟ୍ଟା କରି ପରସ୍ପରକୁ ପରିହାସ କରୁଥିଲେ ।
ଭାରତରେ ମଧ୍ୟ ଏପ୍ରିଲ ଫୁଲ୍ ଡେ ପାଳନ କରାଯଇଥାଏ । ଏହି ଦିବସ ଉନବିଂଶ ଶତାବ୍ଦୀରୁ ଭାରତରେ ଆରମ୍ଭ ହୋଇଛି ବୋଲି ବିଶ୍ୱାସ କରାଯାଏ । କାରଣ ସେହି ସମୟରେ ଭାରତରେ ବ୍ରିଟିଶମାନେ ଶାସନ କରୁଥିଲେ ଏବଂ ସେମାନେ ମଧ୍ୟ ଏଠାରେ ସେମାନଙ୍କର ସଂସ୍କୃତି ବିସ୍ତାର କରିଥିଲେ। ଫଳରେ ଏପ୍ରିଲ୍ ଫୁଲ୍ ଡେ ମଧ୍ୟ ସେହି ପରମ୍ପରାଗୁଡ଼ିକ ମଧ୍ୟରେ ରହିଛି ବୋଲି ବିଶ୍ୱାସ କରାଯାଏ ।