ଯେତେଯେତେ ପାଖଉଛି ନିର୍ବାଚନ ସେତେସେତେ ବଢୁଛି ନେତାମାନଙ୍କ ଟେନସନ୍ । କଣ ହେବ ଆଗାମୀ ନିର୍ବାଚନ । କାହାକୁ ମିଳିବ ଟିକେଟ୍ କିଏ ହେବେ ଅଲୋଡ଼ା ତାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । ଏହିସବୁ ମଧ୍ୟରେ ଏବେ ହାତ ଓ ପଦ୍ମକୁ ଘାରିଛି ଜଟଣୀ ଚିନ୍ତା । ଜନତାଙ୍କ ପ୍ରିୟ ବିଜୁ ଜନତା ଦଳ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏହାପରେ ବଢିଛି ବିରୋଧୀ ଦଳର ଟେନସନ୍ ।କିପରି ବିଜେଡିକୁ କରିବେ ମୁକାବିଲା ସେ ନେଇ ପ୍ରସ୍ତୁତ କରୁଛନ୍ତି ରଣନୀତି । କିନ୍ତୁ ଏପଟେ ପ୍ରାର୍ଥୀ ତଲିକା ଘୋଷଣା ଯେତେ ବିଳମ୍ବ ହେଉଛି ଆଶାୟୀଙ୍କ ଚିନ୍ତା ଓ ଆଶଙ୍କା ସେତେ ବଢୁଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜଟଣୀ ନିର୍ବାଚନ ମଣ୍ଡଳୀରୁ ବିଭୂତି ବଳବନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲକା ଉପରେ ରହିଛି ସମସ୍ତଙ୍କ ନଜର । ଉଭୟ ଦଳ କାହାକୁ ଦେବେ ଜଟଣୀ ଦାୟୀତ୍ୱ ଶାସକ ଦଳକୁ କିଏ ଦେବ କଡା ଟକ୍କର ତାକୁ ନେଇ ଦେଖାଦେଲାଣି ଭିନ୍ନ ଭିନ୍ନ ମତ ।
କଂଗ୍ରେସର ଗଡ କୁହାଯାଉଥିବା ଜଟଣୀ ନିର୍ବାଚନ ମଣ୍ଡଳୀ ଏବେ କିନ୍ତୁ ପୁରା ଦୁର୍ବଳ ହୋଇ ପଡିଛିି । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ଶାସକ ଦଳରେ ଯୋଗ ଦେବା ପରେ ଜଟଣୀର ଭୋଟ ବ୍ୟାଙ୍କ ଶଙ୍ଖନାଦରେ ପରିଣତ ହେବ ବୋଲି କରାଗଲାଣି ଆକଳନ । କାରଣ ସୁର ରାଉତରାୟ ପୁଅ ତଥା ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ଅନେକ ଦିନ ହେବ ଜଟଣୀ ନିର୍ବାଚନମଣ୍ଡଳୀରେ ତାଙ୍କ ସଙ୍ଗଠନକୁ କରୁଥିଲେ ମଜବୁତ । ଯାହାର ପରିଣାମ ଏବେ ବିରୋଧୀଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇଯାଉଛି ।
ଅନ୍ୟପକ୍ଷେ ବିଜେପି ମଧ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚିନ୍ତାରେ ଅଛି । ଏହି ନିର୍ବାଚନ ମଣ୍ଡଳୀରୁୁ ଦଳ କାହାକୁ ଟିକେଟ ଦେବ ସେ ନେଇ ଚାଲିଛି ବିଚାର ବିମର୍ଶ । କାରଣ ପଦ୍ମ ପୋଖରୀରେ ଅନେକ କର୍ମୀ ଟିକେଟ୍ ଆଶାରେ ମୁଣ୍ଡ ଟେକିଛନ୍ତି । ସେମାନଙ୍କ ମଧ୍ୟରୁ ସୁଦୀପ୍ତ ରାୟ, ବିଶ୍ୱରଞ୍ଜନ ବଡଜେନା, ଓ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁ ଆଗରେ ରହିଛି । ଏମାନଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କଲେ ଶଙ୍ଖ –ହାତକୁ ଭାଙ୍ଗି ପାରିବ ସେ ନେଇ ପଦ୍ମରେ ଚାଲିଛି ଆଲୋଚନା ।
ସେହିପରି ଜଟଣୀର ପୁର୍ବତନ କଂଗ୍ରେସ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ କହିଛନ୍ତି କଂଗ୍ରେସର ସମସ୍ତ କର୍ମୀ ଅଛନ୍ତି ଏବଂ ରହିବେ ମଧ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଜଟଣୀ କଂଗ୍ରେସର ଗଡ ଥିଲା ଅଛି ଓ ରହିବ । ଏଥର କେବଳ ନେତୃତ୍ୱ ପରିବର୍ତ୍ତନ ହେବ । ତେବେ ଜଟଣୀରେ ହାତକୁ ଶକ୍ତ କରିବା ପାଇଁ ରସିକ ପଟ୍ଟନାୟକ ଓ ଅଶୋକ ମଙ୍ଗରାଜଙ୍କ ସମେତ ଅନ୍ୟ କଂଗ୍ରେସକର୍ମୀମାନେ ମଧ୍ୟ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ସବୁପରେ ମଧ୍ୟ ଜନପ୍ରୟ ନେତା ଭାବରେ ଦୀର୍ଘ ୨୫ ବର୍ଷ ହେବ ଲୋକଙ୍କ ସେବା କରି ଆସୁଛି ବିଜୁ ଜନତା ଦଳ । ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ଛିଡା ହୋଇଛି ବିଜେଡି । ଫଳରେ ୨୪ ନିର୍ବାଚନରେ ଶୁଭ ଶଙ୍ଖ ଧ୍ୱନୀରେ ଥରିବ ହାତ ଓ ଝଡିପଡିବ ପଦ୍ମ ବୋଲି ଏବେଠୁ ବୁଦ୍ଧିଜୀବି ମହଲରେ ଆରମ୍ଭ ହେଲାଣି ଚର୍ଚ୍ଚା ।