Sunstar TV
ଭୁବନେଶ୍ୱର : କୁଆଡେ ଯାଉଛି ରାଜନେତାଙ୍କ ଗତି ଆଜି ଜଣେ ତ କଲି ଆଉ ଜଣେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ନିର୍ବାଚନ ଆସେ ଦଳ ବଦଳ ହୁଏ ତାହା ହେଇଛି ହେବ କିନ୍ତୁ ୨୪ ନିର୍ବାଚନରେ ହେଭିୱେଟ ନେତାଙ୍କ ଦଳ ଡିଆଁ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯେଉଁ ଦଳର ଯେଉଁ ନେତାଙ୍କୁ ଜନତା ନିର୍ବାଚିତ କରିଥିଲେ, ସେମାନେ ଏବେ ଅନ୍ୟ ଦଳ ସହ କ୍ଷୀର ନିର ସମ୍ପର୍କରେ ଜଡିତ ହେଉଛନ୍ତି । କାହାକୁ ଭୋଟ ଦେବେ ଜନତା ? ଦଳର ନୀତି ଗତି ଆଦର୍ଶକୁ ଜନତା ଭଲପାଉଥିବା ବେଳେ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଦଳ ଅଛି ଏବଂ ରହିବ ହେଲେ ବଦଳୁଛି ନେତାଙ୍କ ହାବଭାବ, ରାଜନୀତିର ପଶାପାଲିରେ ଯେଉଁ ଗୋଟି ଚାଲୁଛି ତାହା ଜନତାଙ୍କ କଳ୍ପନା ବାହାରେ, ନା କହିହେଉଛି ନା ସହିହେଉଛି କିଏ କୁଆଡେ ଯାଉଛନ୍ତି ? କେଉଁ ଦଳ କେଉଁ ସ୍ଥାନରୁ କିଏ ହେବେ ପ୍ରାର୍ଥୀ ତାହା ମଧ୍ୟ ପ୍ରଶ୍ନ ଘେର ଭିତରେ ରହିଯାଇଛି । ତାରକା ପ୍ରଚାରକ ଭାବେ ଅରିନ୍ଦମ ରାୟ ହୁଅନ୍ତୁ ବା ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନିଜ ନିଜ ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ସତ୍ତ୍ୱେ ବର୍ତମାନ ସ୍ଥିତିରେ ସେମାନେ ଦଳ ବଦଳେଇ ସାରିଛନ୍ତି । ଆଉ ଜଣେ ତାରକା ମଧ୍ୟ ଏବେ ଟ୍ରେଣ୍ଡ ପାଲଟିଛନ୍ତି । ଶାସକ ଦଳର ସାଂସଦ ହୋଇ ମଧ୍ୟ ବିରୋଧୀ ବିଜେପିରେ ଯୋଗ ଦେବା କଥା ଶୁଣିବାକୁ ମିଳୁଛି । କିଛି ମାସ ପୂର୍ବରୁ ଅରିନ୍ଦମ ଅଶ୍ବିନୀ ବୈଷ୍ଣବଙ୍କ ସହ ଦେଖା କରିବା ପରେ ଯେଉଁ ଚର୍ଚ୍ଚା ହେଉଥିଲା, ତାର ଫଳାଫଳ ନିକଟ ଅତୀତରେ ସାମ୍ନାକୁ ଆସିଲା । ଗତ ୨୨ ତାରିଖ ଦିନ କଟକ ସାଂସଦ ଭର୍ତ୍ତୃହରି ମହତାବ ଶାସକ ଦଳରୁ ଇସ୍ତଫା ଦେଇଥିଲେ । ହୋଲି ଅବସରରେ ଗତ କାଲି ଶ୍ରୀଯୁକ୍ତ ମହତାବଙ୍କ ଘରେ ବସନ୍ତ ଉତ୍ସବ ପାଳନ କରାଯାଇଥିଲା, ସେହି ଉତ୍ସବରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସାମିଲ ହୋଇଛନ୍ତି । ଗତ ଦୁଇ ଦିନ ହେବ ଚର୍ଚ୍ଚା ଚାଲୁଛି ଅନୁଭବ ଛାଡ଼ିବେ ବିଜେଡି । ତେବେ ଶାସକ ଦଳ ଛାଡିବା ପରେ ମଧ୍ୟ ମହତାବଙ୍କ ଦ୍ୱାରା ଆୟୋଜିତ ହୋଲି ଉତ୍ସବରେ ଯେଉଁ ସ୍ଥାନରେ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ ସେଠାରେ ଅନୁଭବ ଯୋଗ ଦେବାର କାରଣ, ଏବେ ସମସ୍ତଙ୍କ ପାଇଁ ଏକ ବଡ ପ୍ରଶ୍ନବାଚୀ । ଦଳ ମତ ନିର୍ବିଶେଷରେ ଏକାଠି ହୋଇ ହୋଲି ଖେଳିବାକୁ ଆସିଛନ୍ତି କହି, ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଅନୁଭବ ନୀରବତାର ସହ ଏଡାଇଛନ୍ତି । ସେପଟେ ସାଂସଦ ଭର୍ତ୍ତୃହରି କହିଛନ୍ତି, ଗେରୁଆ ରଙ୍ଗ ଦେଶର ତଥା ରାଷ୍ଟ୍ରର ମହତ୍ୱପୂର୍ଣ୍ଣ ରଙ୍ଗ, ଏହା ପ୍ରତି ଯେତେ ସମର୍ପଣ ଭାବ ରହିବ ସେତେ ଅଧିକ ଉନ୍ନତି ହେବ । ଏଥିରୁ ଯାହା ସ୍ପଷ୍ଟ ହେଉଛି ତାହା ହିଁ ଆଲୋଚନାର ପ୍ରସଙ୍ଗ ପାଲଟୁଛି । ୨୪ ନିର୍ବାଚନ କେତେବେଳେ ଯେ କେଉଁ ମୋଡ ନେଉଛି , ତାହା ତ ଅଗୋଚର ଏଠି କେବଳ ଦ୍ବନ୍ଦରେ ଜନତା ପଡୁଛନ୍ତି ଆଉ ନେତା ଦଳ ବଦଳାଇ ଚାଲିଛନ୍ତି ।