SUNSTARTV
ଆଉ କିଛି ଦିନର ଅପେକ୍ଷା, ଏହାପରେ ଆରମ୍ଭ ହୋଇଯିବ ରାଜନୀତିର ମହା ଯୁଦ୍ଧ । ରଥି ମହାରଥୀ ଠାରୁ ଆରମ୍ଭ କରି ସୈନ ସାମନ୍ତ ସମସ୍ତେ ଅଛନ୍ତି ପ୍ରସ୍ତୁତ । କିଏ କୋଉ ଜାଗାରୁ ମଇଦାନକୁ ଓଲ୍ହାଇବ ସେଇ ନେଇ ମଧ୍ୟ ସାରିଲାଣି ସମସ୍ତ ପ୍ରସ୍ତୁତି । ସତ୍ତାର ଶତରଂଜରେ କିଏ ମରିବ ବାଜି ତାକୁ ନେଇ ଆରମ୍ଭ ହେଲାଣି ରାଜନୀତି ବିଶେଷଣଜ୍ଞଙ୍କ ଗୋଟି ଚାଳନା । ଅନ୍ୟ ପକ୍ଷେ ନେତାମାନଙ୍କ ଦଳବଦଳ ରାଜନୀତିର ଗଣିତକୁ ପରିବର୍ତ୍ତନ କରିପାରେ ବୋଲି କରାଯାଉଛି ଆକଳନ । ଏହାରି ମଧ୍ୟରେ ବିଜେପି ଲୋକସଭା ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ଓଡ଼ିଶାର ୧୮ ଜଣଙ୍କ ନାଁ ସାମିଲ ଅଛି ।
ତେବେ ଏଥର ସମ୍ୱଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ଲଢ଼ୁଥିବା ବେଳେ କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ୱିତ ପାତ୍ର, ବାଲେଶ୍ୱରରୁ ପ୍ରତାପ ଷଡଙ୍ଗୀ ପ୍ରାର୍ଥୀ ହୋଇଛନ୍ତି।ସେହିପରି କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗିରରୁ ସଙ୍ଗୀତା ସିଂହଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀଙ୍କୁ ଲୋକସଭା ଆସନ ପାଇଁ ମିଳିଛି ଟିକେଟ । ଏହାବ୍ୟତୀତ ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଛନ୍ତି।
ତେବେ ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ବୈଜୟନ୍ତ ପଣ୍ଡା ନିଜ ସୋଶାଲ ମିଡିଆରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି ଧନ୍ୟବାଦ। ଏଥି ସହିତ କେନ୍ଦ୍ରାପଡ଼ାରୁ ଅର୍ଥାତ ଯେଉଁଠୁ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇଥିଲେ ସେଠୁ ପୁଣି ଥରେ ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯାଇଥିବାରୁ ବୈଜୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।ଅପର ପକ୍ଷେ ଓଡିଶା ବ୍ୟତୀତ ଲୋକସଭା ନିର୍ବାଚନ ପାଇଁ ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଛି ଦଳ ।ଏଥିରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରେ ଟିକେଟ ଦିଆଯାଇଥିବା ବେଳେ ରାମାୟଣ ସିରିଏଲରେ ରାମ ଭୂମିକା ଅଭିନୟ କରିଥିବା ଖ୍ୟାତନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତରପ୍ରଦେଶର ମିରିଟରୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନ ପାଇଁ ଟିକେଟ ଦେଇଛି ବିଜେପି ।ସେହିପରି ୟୁପିର ସୁଲତାନପୁରରୁ ପୁଣି ପ୍ରାର୍ଥୀ ହେବେ ମେନକା ଗାନ୍ଧୀ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି ।
ଅନ୍ୟପଟେ ଦଳର ଜଣାଶୁଣା ଓ ହେବିୱେଟ ନେତାମାନଙ୍କୁ ତାଲିକାରୁ ବାଦ ଦେଇଛନ୍ତି ଦଳର ସୁପ୍ରିମୋ । ତେବେ ବାଦ ପଡ଼ିଯାଇଥିବା ନେତାମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧୀଙ୍କ ନା ଆଦି ସାମିଲ ଅଛି । ତେବେ ବିଜେପିର ଏହି ନିଷ୍ପତି ଆଗାମୀ ନିର୍ବାଚନରେ କିଛି ପରିବର୍ତ୍ତନ ଆଣୁଛି ନା ଓଲଟି ସେ ବିପଦରେ ପଡୁଛି ତାକୁ ନେଇ ଚାଲିଛି ଚର୍ଚ୍ଚା।