SUNSTARTV
ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯୋଡିହେଲା ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ୧ ନମ୍ବର ହସ୍ପିଟାଲର ମାନ୍ୟତା ପାଇଲା ପିଜିଆଇଏମ୍ଇଆର ଆଣ୍ଡ୍ କ୍ୟାପିଟାଲ ହସ୍ପିଟାଲ। ସାରା ଭାରତବର୍ଷରେ ଓଡ଼ିଶାର ୧ ନମ୍ୱର ଡାକ୍ତରଖାନା ଭାବେ ସାଉଁଟିଲା ସମ୍ମାନ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ୍ ଷ୍ଟାଣ୍ଡାର୍ଡ (ଏନ୍କ୍ୱାସ୍) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ୱର ୱାନ ଡାକ୍ତରଖାନା ଭାବେ କରାଯାଇଛି ବିବେଚନା ।
ମିଳିଥିବା ସୂଚନା ଅନୁଯାଇ ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏନ୍କ୍ୱାସ୍ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚ କରିଥିଲେ। ଫଳରେ ବିଭିନ୍ନ ବିଭାଗରେ ଥିବା ଅତ୍ୟାଧୁନିକ ଅସ୍ତ୍ରୋପଚାର ସହ ଜୀବାଣୁ ମୁକ୍ତ ପରିବେଶ, ରୋଗୀଙ୍କ ସୁରକ୍ଷା, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ। ତେବେ ଏହିସବୁ କ୍ଷେତ୍ରରେ ସାଧାରଣ ଜନତାଙ୍କୁ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନ୍କ୍ୱାସ ଟିମ୍ ସନ୍ତୁଷ୍ଟ ହୋଇ କ୍ୟାପିଟାଲ ହସ୍ପିଟାଲକୁ ସାମଗ୍ରିକ ଭାବେ ୮୮ ପ୍ରତିଶତ ମାର୍କ ପ୍ରଦାନ କରିଥିଲା। ଯାହାର ଫଳସ୍ୱରୂପ କ୍ୟାପିଟାଲ ହସ୍ପିଟାକୁ ଓଡ଼ିଶର ନମ୍ବରୱାନ ହସ୍ପିଟାଲର ମାନ୍ୟତା ମିଳିବ ସହ ସମଗ୍ର ଭାରତ ବର୍ଷରେ ଓଡିଶା ସ୍ୱାସ୍ଥ୍ୟ ବ୍ୟବସ୍ତା ପ୍ରଶଂସା ସାଉଁଟିଛି |
ଏହା ବ୍ୟତୀତ ଏନ୍କ୍ୱାସ ସାର୍ଟିଫିକେଟ୍ ଲାଗି କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ୭୦ ଲକ୍ଷ ଟଙ୍କାର ପୁରସ୍କାର । ସେହିପରି ପ୍ରତି ବେଡ୍ ପିଛା ୧୦ହଜାର ଲେଖାଏଁ ଅର୍ଥ ରାଶି ମିଳିବା ବେଳେ ଏହାର ୮୦ ପ୍ରତିଶତ ଅର୍ଥ ଆରକେଏସ୍ ଯୋଜନାରେ ଖର୍ଚ୍ଚ କରାଯିବ। ଆଉ ବଳକା ୨୦ ପ୍ରତିଶତ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି । ଏହି ଅର୍ଥରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବା ସହ ଭିତ୍ତିଭୂମିର ଉନ୍ନତି ପାଇଁ କାର୍ଯ୍ୟ କରାଯିବ। ହସ୍ପିଟାଲ କେବଳ ଏନ୍କ୍ୱାସ ସାର୍ଟିଫିକେଟ୍ ହାସଲ କରିନି | ଏହା ବ୍ୟତୀତ ‘ଲକ୍ଷ୍ୟ’ ଓ ‘କାୟାକଳ୍ପ’ ପୁରସ୍କାର ମଧ୍ୟ ହାସଲ କରିଛି।
କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ କହିବା ଅନୁସାରେ ହସ୍ପିଟାଲର ଏହିଭଳି ପ୍ରଦର୍ଶନର ଶ୍ରେୟ ସମ୍ପୂର୍ଣ୍ଣ ଭାବେ ସମସ୍ତ କର୍ମଚାରୀଙ୍କର। ଏହା ଆଗାମୀ ଦିନରେ କର୍ମଚାରୀଙ୍କୁ କାର୍ଯ୍ୟ କରିବାରେ ଆହୁରି ଉତ୍ସାହ ଯୋଗାଇବ । ତେବେ ଏହି ଅବସରେ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଛି। ଯେଉଁଥିରେ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଭବିଷ୍ୟତରେ ରୋଗୀଙ୍କୁ ଆହୁରି ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି।