Sunstar TV
ଭୁବନେଶ୍ୱର : ନାରୀ ହିଁ ଶକ୍ତି… ନାରୀ ହିଁ ଶାନ୍ତି… ସଶକ୍ତ ଭାବେ ନିଜକୁ ଗଢ଼ିପାରିଛନ୍ତି ସେ ସମାଜକୁ ଦେଖାଇଛନ୍ତି ସେ ନୂଆ ଏକ ଉନ୍ନତିର ଦିଗ । ଏମିତି ଜଣେ ନାରୀ ଦୁର୍ଗମ ଅଞ୍ଚଳରେ ଆଣିଛନ୍ତି ସଚେତନତା । ସମସ୍ତଙ୍କ ମୁଖରେ ଆଜି ପ୍ରଶଂସାର ବାର୍ତ୍ତା । ମାଲକାନଗିରିର ଝିଅ ଜୟନ୍ତୀ ବୁରୁଦା । ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସରେ ପକ୍ଷରୁ ଚୟନ କରାଯାଇଥିବା ଦେଶର ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଜୟନ୍ତୀ । ଦେଶର ୨୩ଜଣ ଶକ୍ତିଶାଳୀ ମହିଳା ଏହି ତାଲିକାରେ ଅନ୍ତର୍ଭୁକ୍ତ, ବିଶ୍ବ ବ୍ୟାଙ୍କ ଏମ୍ଡି ଓ ସିଏଫ୍ଓ ଅନଶୂଳା କାନ୍ତ, କ୍ରିକେଟର୍ ଦୀପ୍ତି ଶର୍ମା, ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଚେହେରା କ୍ରୀତି ସାନୋନ ଓ ଚେସ୍ ଗ୍ରାଣ୍ଡମାଷ୍ଟର୍ ଆର୍. ବୈଶାଳୀ, Brookfield real estate group ,Managing director ଅନନ୍ୟା ତ୍ରିପାଠୀଙ୍କ ଭଳି ଅନ୍ୟ କିଛି ମହିଳା । ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ଜୟନ୍ତୀ ବୁରୁଦାଙ୍କ କାହାଣୀ ନିଆରା । ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି। ଜୟନ୍ତୀ ହେଉଛନ୍ତି ସେହି ପ୍ରଥମ ଆଦିବାସୀ ଝିଅ ଯିଏ ଏନଡବ୍ଲ୍ୟୁଏମଆଇରୁ ଫେଲୋସିପ୍ ଗ୍ରହଣ କରିଥିଲେ । ନିଜ ପ୍ରଚେଷ୍ଠା ଓ ବୁଦ୍ଧି ବଳରେ ଜଙ୍ଗଲ ରାଣୀ ଇନିସିଏଟିଭ ଆରମ୍ଭ କରି ଆଧୁନିକ ସମାଜରେ ପଛରେ ରହିଯାଉଥିବା ଆଦିବାସୀ ଝିଅମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି। ଯାହା ଦ୍ୱାରା ଦୁର୍ଗମ ଅଞ୍ଚଳର ଲୁଚି ରହିଯାଉଥିବା ପ୍ରତ୍ୟେକଟି ଖବର ଲୋକଲୋଚନକୁ ଆସିପାରିବ।
କେବଳ ସେତିକି ନୁହେଁ, ପ୍ରାୟ ୬ବର୍ଷ ପୂର୍ବରୁ ଏକ ସଂଗଠନ ଆରମ୍ଭ କରିଛନ୍ତି ଜୟନ୍ତୀ ଯାହାର ନାଁ ‘ବଡ ଦିଦି’ । ଏହି ସଂଗଠନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସଚେତନ କରିବା । ସେ ଗଣମାଧ୍ୟମରେ ଜୋନ୍ ସମ୍ବାଦିକା ଭାବେ ମଧ୍ୟ କାର୍ଯ୍ୟ କରନ୍ତି । ମାଲକାନଗିରିର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଓ ସ୍ବାଭିମାନ ଅଞ୍ଚଳରେ ଋତୁସ୍ରାବ ବିଷୟରେ ମହିଳା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତା ଅଭାବକୁ ଠିକ ଭାବେ ଅନୁଭବ କରିପାରିଥିଲେ ଜୟନ୍ତୀ । ଏହି ଭାବନା ରୁ ହିଁ ତ ଆରମ୍ଭ ହୁଏ ବିପ୍ଳବ, ୨୦୧୭ ମସିହାରେ ପ୍ରାୟ ୨୦ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ଆରମ୍ଭ କରିଥିଲେ ବଡ଼ଦିଦି ସଂଗଠନ । ବିଭିନ୍ନ ଗାଁରେ ଘରକୁ ଘର ବୁଲି ପ୍ରଥମେ ଯୁବତୀମାନଙ୍କୁ ଋତୁସ୍ରାବଜନିତ ସମସ୍ୟା ଓ ସାନିଟାରୀ ପ୍ୟାଡ୍ ବ୍ୟବହାର ସମ୍ବଦ୍ଧିୟ ସଚେତନତା ଅଭିଯାନ ଆରମ୍ଭ କରିଥିଲେ। ପରେ ସେ ଏହି ଉଦ୍ଦେଶ୍ୟରେ କିଛି ମାତ୍ରାରେ ସଫଳତା ମଧ୍ୟ ହାସଲ କରିପାରିଛନ୍ତି । ତାଙ୍କର ପ୍ରଚେଷ୍ଠା ଓ ସଦ୍ଭାବନାର ଆଜି ସେ ସଫଳତାର ସ୍ୱାଦ ଚାଖିଛନ୍ତି । ଏବଂ ସେ ଜଣେ ଶକ୍ତିଶାଳୀ ମହିଳା ଭାବେ ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଚୟନ ହୋଇପାରିଛନ୍ତି ।