Sunstar Tv
Naveen Odisha Magic card: ଆଜିଠୁ ଆରମ୍ଭ ହେବ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଯୁବଶକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ପାଇଁ ସହାୟତା ଯୋଗାଇ ଦିଆଯିବ ।
ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ୟାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି ।
ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ ।
ସେହିପରି ଯଦି କୌଣସି ଛାତ୍ରଛାତ୍ରୀ ଶିକ୍ଷା ପାଇଁ କୌଣସି ସ୍ଥାନକୁ ଯାତ୍ରା କରିବେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ l ଖାଲି ଯାତାୟାତ ପାଇଁ ନୁହେଁ ଏହି କାର୍ଡ ଦ୍ୱାରା ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ମଧ୍ୟ ପାଇପାରିବେ l
ଏହି କାର୍ଡରେ ଛାତ୍ର ଛାତ୍ରୀଙ୍କ ପୁରା ପରୀକ୍ଷା ଫଳ ଓ ଉପସ୍ଥାନର ପୁରା ତଥ୍ୟ ମଧ୍ୟ ରହିବ । ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ । ଯାହା ଫଳରେ ଛାତ୍ରଛାତ୍ରୀ କୌଣସି କମ୍ପାନୀକୁ ନିଯୁକ୍ତି ପାଇଁ ଗଲେ ସୁବିଧା ପାଇ ପାରିବେ ।
‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’
‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ହୋଇଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ।
ଏହି ମ୍ୟାଜିକ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୫ ତାରିଖରୁ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖରେ ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ତାହାକୁ ବଣ୍ଟନ କରାଯିବ ।
ଏହି ଡିଜିଟାଲ ସୁବିଧା ଯୁବପୀଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କୁ ଉତ୍ସାହିତ ଓ ସଶକ୍ତ କରିବା କ୍ଷେତ୍ରରେ ସହାୟକ ହେବ । ଏଥିସହିତ ଯୁବକଙ୍କ ନିଯୁକ୍ତି ଓ ସଶକ୍ତିକରଣ ଦିଗରେ ତାହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି ।
ଏହି କାର୍ଡ ‘ସମୃଦ୍ଧିର ପାସପୋର୍ଟ’ ହେବ । ଏହି କାର୍ଡଗୁଡ଼ିକୁ ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିନମ ଆଦି ସ୍ତରରେ ବିଭକ୍ତୀକରଣ କରାଯିବ । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷା କ୍ଷେତ୍ରରେ ଉପସ୍ଥାନ, ଏକ୍ସଟ୍ରା କରିକ୍ୟୁଲାର ଆକ୍ଟିଭିଟି, କ୍ରୀଡ଼ା, ଅନଲାଇନ୍ କୋର୍ସ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଆଦି କ୍ଷେତ୍ରରେ ଦକ୍ଷତାକୁ ଆଧାର କରି କାର୍ଡକୁ ବଣ୍ଟନ ଓ ନବୀକରଣ କରାଯିବ ।
ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ଜାତୀୟ-ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ସମୟରେ ଷ୍ଟାଡିୟମରେ ପ୍ରବେଶ, ଜର୍ଣ୍ଣାଲ ଓ ସେମିନାରେ ପ୍ରବେଶ, ପର୍ଯ୍ୟଟନ ସ୍ଥଳୀରେ ପ୍ରବେଶ ଆଦି କ୍ଷେତ୍ରରେ ଏହି କାର୍ଡ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ ।