SunstarTV
ନିର୍ବାଚନୀ ମାହୋଲ ଭିତରେ ପ୍ରକାଶ ପାଇଛି ବିଜେପିର ପ୍ରଥମ ଲିଷ୍ଟ। ଯେଉଁଥିରେ ବିଜେପିର ଅନେକ ବରିଷ୍ଠ ରାଜନେତା ମାନଙ୍କର ନାମ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୮ ରାଜ୍ୟର ମୋଟ୍ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଯେଉଁଥିରେ ଗୋଟିଏ ଉପରେ ଗୋଟିଏ ହେବିଓ୍ବେଟ୍ ନେତାଙ୍କ ନାଁ ରହିଛନ୍ତି । କିନ୍ତୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କୌଣସି ନାଁ ଘୋଷଣା କରାଯାଇ ନାହିଁ । ତେଣୁ ରାଜ୍ୟରେ ଯେଉଁ ବିଜେପି ଆଉ ବିଜେଡି ଭିତରେ ମେଣ୍ଟ ସରକାରକୁ ନେଇ ଚର୍ଚ୍ଚା ହେଉଥିଲା ଏହା ତାଙ୍କର ମଧ୍ୟ ଏକ ସଙ୍କେତ ହୋଇପାରେ ।
କିନ୍ତୁ ଉଭୟ ଦଳ ବିଜେପି ଆଉ ବିଜେଡି ମେଣ୍ଟ ସରକାରଙ୍କୁ ଏକଦମ ନା କହିଛନ୍ତି ।ବିଜେପି ସଭାପତି ମନମୋହନ ସାମଲ ତାଙ୍କର ସୋସିଆଲ ମିଡିଆ ସାଇଟରେ ଏକ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଗତକାଲି ବିଜେପି ଚାଣକ୍ୟ ତଥା ଅମିତ ଶାହାଙ୍କ ସହ ବାର୍ତ୍ତାଳାପର ଏକ ଫଟୋ ସହ ଆସନ୍ତା ସାଧାରଣ ନିର୍ବାଚନରେ ଏକାକୀ ଲଢିବ ବୋଲି ସୂଚନା ଦେଇଛନ୍ତି । ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ପ୍ରାର୍ଥୀ ଦେବ ଭାରତୀୟ ଜନତା ପାର୍ଟି । ବିଜେଡି ସହ ରାଜ୍ୟ ବିଜେପିର ମେଣ୍ଟ ହେବାର କୌଣସି ଚାନ୍ସ ନାହିଁ ବୋଲି କହିଛନ୍ତି ।
ଏହାସହ ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଏହି ସମସ୍ତ ଆସନରେ ବିଜେପି ଏକା ଲଢିବ ଏବଂ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶରେ ପ୍ରଧାନମନ୍ତ୍ରୀ ହେବେ ।
ସେପଟେ ବିଜେଡି ମଧ୍ୟ ଚୁପ ବସିନି । ଏହି ମେଣ୍ଟ ସରକାର ଗଠନକୁ ନେଇ ରାଜ୍ୟ ବିଜେଡି ତରଫରୁ ମଧ୍ୟ ଏ ପ୍ରେସ ମିଟ କରାଯାଇଛି । ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ମଧ୍ୟ ମେଣ୍ଟକୁ ନା କହିଛନ୍ତି । ସେ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫–ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜୁ ଜନତାଦଳ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ ସ୍ଥାନରେ ରହିଛି । ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ରୁ ଅଧିକ ଲୋକସଭା ଆସନରେ ଜିତିବାକୁ ଯାଉଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର ଗଣମାଧ୍ୟମକୁ ଏହା ମଧ୍ୟ କହିଛନ୍ତି ଯେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆର୍ଶୀବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନ ଜିତାଇବାକୁ ସାଢେ ୪କୋଟି ଓଡିଶାବାସୀ ମନ ସ୍ଥିର କରିସାରିଲେଣି । ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ କାର୍ଯ୍ୟକରିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।
କିନ୍ତୁ ଏହା ସତ୍ତ୍ବେ ବିଜେପିର ଆଜିର ତାଲିକାରେ ଓଡିଶାର ନାମ ନ ରହିବା ଆଉ କିଛି ସୂଚନା ଦେଉଛି ଯାହା ରାଜନୈତିକ ମହଲରେ ଖୁବ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।