Jagannath Temple: ବୁଧବାର ପବିତ୍ର ମାଘ ଶୁକ୍ଳ ଦ୍ଵାଦଶୀ ତିଥି। ଏହି ଅବସରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।
ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ. ୬ଟାରୁ ରାତ୍ରି ୯ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏଠାରେ କହି ରଖୁ ଯେ, ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉଙ୍କର ମୁଖଶ୍ରୀର ପ୍ରସାଧନ ବା ବନକ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏହି ବନକ ଲାଗି କାର୍ୟ୍ୟକ୍ରମ ପାଇଁ ରୀତିନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନେ କରିଥାନ୍ତି।
ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ଅନୁଷ୍ଠିତ ହୋଇଥାଏ । ଦି’ପ୍ରହର ଧୂପ ଦାନ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ ହୋଇଥାଏ । ଏହାପରେ ଏହି ଗୁପ୍ତ ନୀତି କରାଯାଇଥାଏ ।
ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଶ୍ରୀଜୀଉଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ୟ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ କରିବାରୁ ବଞ୍ଚିତ ରହିଥାନ୍ତି। ଏହି କ୍ରମରେ ବନକଲାଗି ନୀତି ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ୩ ଘଣ୍ଟା ଦର୍ଶନ ବନ୍ଦ ରହିବ।